କୋଟି ହୃଦୟର ମହାନାୟକ ବିଗ୍ ବି ଅମିତାଭ ବଚ୍ଚନଙ୍କ ଆଜି ଜନ୍ମ ଦିନ | ୭୭ତମ ବର୍ଷରେ ପାଦ ଦେଲେ ବଲିଉଡ୍‌ର ଏହି ମହାନାୟକ | ଦେଶ ବିଦେଶରେ କୋଟି କୋଟି ପ୍ରଶଂସକ | ଆହ୍ଲାବାଦରେ ୧୯୪୨ ମସିହାରେ ଜନ୍ମ | ୧୯୦ ଚଳଚ୍ଚିତ୍ର, ୧୧ ଫିଲ୍ମଫେୟାର ପୁରସ୍କାର, ୪ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ପଦ୍ମଶ୍ରୀ, ପଦ୍ମବିଭୂଷଣ ଓ ପଦ୍ମଭୂଷଣ ଭଳି ରାଷ୍ଟ୍ରୀୟ ସମ୍ମାନରେ ବିଭୂଷିତ ଅନନ୍ୟ ଅଭିନେତା ଅମିତାଭ ବଚ୍ଚନ । ବଲିଉଡ୍‌ର ଜୀବନ୍ତ କିମ୍ବଦନ୍ତୀ ଏହି ବରିଷ୍ଠ ମହାନାୟକଙ୍କ ଆଜି ଜନ୍ମ ଦିନ | ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ପାଇଁ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ | ଏଥିସହ ଘର ସମୁଖରେ ଫ୍ୟାନ୍‌ ମାନଙ୍କ ଗହଳି ଲାଗିଥିବା ବେଳେ ସୋଶାଲ୍‌ ମିଡିଆରେ ମଧ୍ୟ ବେଶ ଶୁଭେଚ୍ଛା ବାର୍ତାର ସୁଅ ଛୁଟୁଥିବା ଦେଖିବାକୁ ମିଳିଛି | ଅମିତାଭଙ୍କ ବାପା ହରିବଂଶ ରାୟବଚ୍ଚନ ଜଣେ କାୟସ୍ଥ୍ୟ ହିନ୍ଦୁ ଓ ପ୍ରଖ୍ୟାତ କବି, ମାତା ତେଜି ପଞ୍ଜାବୀ-ଶିଖ୍‌ ଥିଲେ ଓ ଜଣେ ସମାଜସେବିକା ଭାବେ କାର୍ଯ୍ୟ କରୁଥିଲେ । ସ୍ବାଧୀନତା ସଂଗ୍ରାମରେ ଅନୁପ୍ରାଣିତ ତଥା ‘ଇନ୍‌କିଲାବ୍‌ ଜିନ୍ଦାବାଦ୍‌’ ଧ୍ବନିରେ ପ୍ରଭାବିତ ହୋଇ ହରିବଂଶ ରାୟବଚ୍ଚନ ଅମିତାଭଙ୍କ ନାମ ଇନ୍‌କିଲାବ୍‌ ରଖିଥିଲେ । ତେବେ ପରେ କବୟିତ୍ରୀ ସୁମିତ୍ରାନନ୍ଦନ ପ୍ୟାଣ୍ଟ୍‌ଙ୍କ ପରାମର୍ଶ ଅନୁଯାୟୀ ଇନ୍‌କିଲାବ୍‌ରୁ ବଦଳାଯାଇ ତାଙ୍କ ନାମ ଅମିତାଭ ରଖାଯାଇଥିଲା। ‘ଅମିତାଭ’ର ଅର୍ଥ ଥିଲା ‘ଏମିତି ଏକ ଆଲୋକ ଯାହାର ଅନ୍ତ ନାହିଁ’ ।

ହିନ୍ଦି ସିନେମା ଜଗତର ସବୁଠୁ ବଡ ଓ ପ୍ରଭାବଶାଳୀ ଅଭିନେତା ଅମିତାଭ ବଚ୍ଚନ । ସେ ଯୁବ ପିଢୀଙ୍କ ପ୍ରେରଣାର ଉତ୍ସ । ତେବେ ବିଗ୍ ବିଙ୍କ ଜନ୍ମଦିନ ଅବସରରେ, ଆସନ୍ତୁ ନଜର ପକେଇବା ସଂଘର୍ଷରୁ ସଫଳତା ପାଇଥିବା କିଛି ଫିଲ୍ମ କ୍ୟାରିୟର ଉପରେ:

ସାତ ହିନ୍ଦୁସ୍ତାନୀ ସିନ୍ :

ଅନୱର ଅଲ୍ଲୀ ଅନୱର । ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରଥମ ସ୍କ୍ରିନ୍ ନାଁ । ଏହାକୁ ପ୍ରାୟ ଦର୍ଶକ ଶୁଣି ନଥିବେ । କାରଣ ୧୯୬୯ରେ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ର ସାତ ହିନ୍ଦୁସ୍ତାନୀ, ଦର୍ଶକଙ୍କ ମଧ୍ୟରେ ସେତେ ଆଦୃତ ହୋଇ ନଥିଲା । ହେଲେ ଆଜି ଯେତେବେଳେ ଏହି ମହାନାୟକଙ୍କ ବିଷୟରେ ଚର୍ଚ୍ଚା କରୁଛୁ, ତେବେ ଏହି ଡେବ୍ୟୁ ଚଳଚ୍ଚିତ୍ରକୁ ବାଦ ଦିଆଯାଇ ନପାରେ ।

ଆନନ୍ଦ ସିନେମା ସିନ୍ :

ସାଥ ହିନ୍ଦୁସ୍ତାନୀ ପରେ ବି ୨, ୩ଟି ଫ୍ଲପ୍ ଚଳଚ୍ଚିତ୍ରରେ ନଜର ଆସିଲେ ଅମିତାଭ । ୧୯୭୧ରେ ରିଲିଜ୍ ହେଲା ତତ୍କାଳିନ ସୁପରଷ୍ଟାର୍ ରାଜେଶ ଖନ୍ନାଙ୍କ ଫିଲ୍ମ ଆନନ୍ଦ । ଯେଉଁଥିରେ ଅମିତାଭ୍ଙ୍କୁ ସହ-ଅଭିନେତା ଭାବେ ଦେଖିବାକୁ ମିଳିଥିଲା । ରାଜେଶ ଖନ୍ନାଙ୍କ ଉପସ୍ଥିତି ସତ୍ୱେ ନିଜ ଅଭିନୟର ଏକ ଭିନ୍ନ ଛାପ ଛାଡିବାକୁ ସଫଳ ହୋଇଥିଲେ ଅମିତାଭ । ଆଉ ଅମିତାଭଙ୍କୁ ଫିଲ୍ମ ଫେୟାର୍ ତରଫରୁ ମିଳିଲା ଶ୍ରେଷ୍ଠ ସହ କଳାକାରର ସମ୍ମାନ ।

ବମ୍ବେ ଟୁ ଗୋଆ ସଙ୍ଗ :

ଆନନ୍ଦରେ ଦମଦାର ଅଭିନୟ ପରେ ଲାଗୁଥିଲା ଅମିତାଭଙ୍କ କ୍ୟାରିୟର୍ ଏକ ଭିନ୍ନ ମୋଡ ନେବ । ମାତ୍ର ବିଫଳତା ଯେପରି ତାଙ୍କ ପିଛା ଛାଡିବାକୁ ନାରାଜ ଥିଲା । ଗୋଟିଏ ପରେ ଗୋଟିଏ ଫିଲ୍ମ ବକ୍ସ ଅଫିସ୍ରେ ଫ୍ଲପ୍ ହେବାକୁ ଲାଗିଥିଲା । ପ୍ୟାର୍ କି କାହାନୀ, ସଂଯୋଗ, ପିୟା କା ଘର, ବଂଶୀ ବିରଜୁ, ରାସ୍ତେ କା ପଥ୍ର, ଗରମ ମସାଲା ଭଳି ଏକାଧିକ ଫିଲ୍ମ ତାଙ୍କ କ୍ୟାରିୟର ରେ ଯୋଡି ହୋଇ ଚାଲିଥିଲା । କିନ୍ତୁ ଏହି ଫ୍ଲପ୍ ସିରିଜ୍ ଭିତରେ ଗୋଟିଏ ଚଳଚ୍ଚିତ୍ର ଥିଲା ବମ୍ବେ ଟୁ ଗୋଆ । ଯାହାର ଗୀତକୁ ଆଜି ବି ଦର୍ଶକ ମନେପକାନ୍ତି ।

ଜଂଜୀର :

ବିଶିଷ୍ଟ କବି ତଥା ଲେଖକ ହରିବଂଶ ରାୟ ବଚ୍ଚନଙ୍କ ପୁଅ ହେବା ସତ୍ୱେ ଅମିତାଭଙ୍କୁ ବିଲିଉଡରେ ପ୍ରବେଶ କରିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଥିଲା । ଲଗାତାର ଫ୍ଲଫ୍ ସିନେମା ତାଙ୍କ କ୍ୟାରିୟାରକୁ ଅସ୍ତ ଆଡକୁ ନେଇଯାଇଥିଲା । ଅନେକ ଲୋକ ତାଙ୍କୁ ଇଣ୍ଡଷ୍ଟ୍ରି ଛାଡି ଫେରିଯିବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ମାତ୍ର ହାର ମାନିନଥିଲେ ଅମିତାଭ । ୧୯୭୩ରେ ରିଲିଜ୍ ହୋଇଥିଲା ପ୍ରକାଶ ମେହେରାଙ୍କ ଫିଲ୍ମ ଜଂଜୀର । ଯେଉଁଥିରେ ସେ ପ୍ରଥମ ଥର ପାଇଁ ସଫଳତାର ସ୍ୱାଦ ଚାଖିଲେ ଓ ରାତାରାତି ପାଲଟିଗଲେ ସୁପରଷ୍ଟାର । ଏହି ସିନେମା ପରେ ଦର୍ଶକ ତାଙ୍କୁ ଦେଇଥିଲେ ଆଙ୍ଗ୍ରି ୟଙ୍ଗ୍ ମ୍ୟାନର ଆଖ୍ୟା ।

ଦିୱାର :

ଜଂଜୀର ପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଅମିତାଭ । ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ଭେଟିଦେଇଥିଲେ ସିନେ ପ୍ରେମୀଙ୍କୁ । ଏହି ଧାରାରେ ୧୯୭୫ ମସିହାର ପ୍ରଥମ ଭାଗରେ ରିଲିଜ୍ ହୋଇଥିଲା ବୋହୁ ଚର୍ଚ୍ଚିତ ଫିଲ୍ମ ଦିୱାର । ସିନେମାରେ ଅମିତାଭଙ୍କର ଆକ୍ସନ୍ ସିନ୍ ଓ ଦମଦାର ଡାଇଲଗ୍ସ ବେଶ୍ ପ୍ରଭାବିତ କରିଥିଲା ଦର୍ଶକଙ୍କୁ ।

ଶୋଲେ :

୧୫ ଅଗଷ୍ଟ ୧୯୭୫, ରିଲିଜ୍ ହୋଇଥିଲା ଚଳଚ୍ଚିତ୍ର ଶୋଲେ ଯାହା ହିନ୍ଦୀ ସିନେମା ଜଗତରେ ରଚିଥିଲା ଇତିହାସ । ଏଥିରେ ଅମିତାଭଙ୍କ ଅଭିନୟ ଓ ଅନ୍ଦାଜର ଦିୱାନା ହୋଇଯାଇଥିଲେ ଦର୍ଶକ ।

ଚୁପକେ ଚୁପକେ :

ଗୋଟିଏ ପଟେ ଦିୱାର୍, ଜମିର୍ ଓ ସୋଲେ ଭଳି ଆକ୍ସନ ମୁଭି ଅମିତାଭଙ୍କୁ ଆଙ୍ଗ୍ରି ୟଙ୍ଗମାନର ପରିଚୟ ଦେଉଥିବାବେଳେ ଅନ୍ୟପଟେ ସେହି ମସିହାରେ ହିଁ ଅମିତାଭଙ୍କୁ ନେଇ ରିଲିଜ୍ ହୋଇଥିଲା ହ୍ରିଷିକେଶ ମୁଖାର୍ଜୀଙ୍କ ଦୁଇଟି ଚଳଚ୍ଚିତ୍ର ଚୁପକେ ଚୁପକେ ଓ ମିଲି । ଏହି ସିନେମାରେ ଅମିତାଭଙ୍କୁ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥିଲା ।

କଭି କଭି :

୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ର କଭି କଭି । ଏହି ସିନେମା ଅମିତାଭଙ୍କୁ ରୋମାଂଟିକ୍ ନାୟକର ପରିଚୟ ଦେଇଥିଲା ।

ଅମର ଅକବର୍ ଆନ୍ଥୋନୀ :

ଅମର, ଅକବର, ଆନ୍ଥୋନୀ ଅମିତାଭ ବଚ୍ଚନଙ୍କ କ୍ୟାରିୟର୍ର ଅନ୍ୟତମ ସୁପରହିଟ ସିନେମା । ଏହି ଫିଲ୍ମ ପାଇଁ ଅମିତାଭ୍ ପ୍ରଥମ ଥର ପାଇଁ ଫିଲ୍ମ ଫେୟାର ଶ୍ରେଷ୍ଠ ଅଭିନେତାର ସମ୍ମାନ ହାତେଇଥିଲେ ।

ଡନ୍ :

ଧିରେ ଧିରେ ବଲିଉଡ୍ର ନମ୍ବର ୱାନ ନାୟକର ସ୍ଥାନ ଅକ୍ତିଆର କରିବାରେ ଲାଗିଥିଲେ ଅମିତାଭ୍ । ୭୦ ଦଶକରେ ଯେପରି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଛାଇ ଯାଇଥିଲେ ସେ । ଯେଉଁ ଫିଲ୍ମରେ ବି ଅଭିନୟ କରୁଥିଲେ ତାହା ହିଟ୍ ହେଉଥିଲା । ଏହାରି ଭିତରେ ଅମିତାଭଙ୍କ ଖଳନାୟିକିର ମଧ୍ୟ ଝଲକ ଦେଖିବାକୁ ମିଳିଥିଲା ୧୯୭୮ର ସିନେମା ଡନ୍ରେ ।

ୟାରାନା :

୭୦ ଦଶକ ଭଳି ୮୦ ଦଶକରେ ବି ବଲିଉଡ୍ରେ ଛାଇ ରହିଲେ ଅମିତାଭ । ୮୦ ଦଶକର ପ୍ରଥମ ଭାଗରେ ନସିବ୍, ଲାବାରିସ୍, ସିଲସିଲା, କାଲିଆ, ସତେ ପେ ସତା, ନମକ ହଲାଲ ଭଳି ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ରର ଲମ୍ବା ଲାଇନ୍ ଲାଗିଥିଲା ଅମିତାଭଙ୍କ କ୍ୟାରିୟରରେ ।

ସେହେନ୍ସା :

୧୯୮୩ ମସିହାରେ ବଲିଉଡର ଏହି ମେଗା ଷ୍ଟାରଙ୍କ ଉପରେ ଯେମିତି ନଜର ଲାଗିଗଲା । କ୍ୟାରିୟରର ଶୀର୍ଷରେ ଥିବା ଅମିତାଭ, କୁଲି ଚଳଚ୍ଚିତ୍ରର ସୁଟିଂ ସେଟରେ ସାମ୍ନା କରିଥିଲେ ଏକ ବଡ ଦୁର୍ଘଟଣା । ଫାଇଟ୍ ସିନ୍ ସୁଟ କରିବା ସମୟରେ ଆହତ ହୋଇ ପଡିଥିଲେ । ସେତେବେଳେ ଲାଗୁଥିଲା ଅମିତାଭଙ୍କ କ୍ୟାରିୟରରେ ଏଇଠି ପୂର୍ଣ୍ଣଚ୍ଛେଦ ପଡିଯିବ । ମାତ୍ର ଆସନ୍ନ ମୃତ୍ୟୁକୁ ପଛରେ ପକାଇ ପୁଣି ଥରେ ପରଦାକୁ ଫେରିଥିଲେ ବଲିଉଡର ସେହେନ୍ସା ।

ଅଗ୍ନିପଥ :

୯୦ ଦଶକରେ ଅମିତାଭ ବଚ୍ଚନଙ୍କ ସଫଳତାର କାହାଣୀ ଆରମ୍ଭ ହୋଇଥିଲା ଚଳଚ୍ଚିତ୍ର ଅଗ୍ନିପଥ ସହିତ । ହମ୍, ଅଜୁବା, ଆଜକା ଅର୍ଜୁନ, ଖୁଦା ଗୱା ଭଳି ଭିନ୍ନ ଭିନ୍ନ ଚରିତ୍ରର ସିନେମା ଭେଟି ଦେଇଥିଲେ ଅମିତାଭ ।

ମୋହବତେଁ , ବାଗବାନ :

ଏହାପରେ ଧିରେ ଧିରେ କ୍ୟାରାକ୍ଟର ରୋଲରେ ନଜର ଆସିଲେ ବଲିଉଡ୍ର ଏହି ସେହେନ୍ସା । ବର୍ଷ ୨୦୦୦ରେ ମୋହବତେଁ, ୨୦୦୧ରେ କଭି ଖୁସି କଭି ଗମ୍, ୨୦୦୨ରେ ଆଖେଁ, ୨୦୦୩ରେ ବାଗବାନ ଭଳି ସିନେମାରେ ଅମିତାଭ୍ ବଚ୍ଚନଙ୍କୁ ନୂଆ ରୂପରେ ଦେଖିବାକୁ ମିଳିଲା । ଏଠି ବି ଦର୍ଶକ ଭରପୁର ପସନ୍ଦ କଲେ ବିଗ୍ ବିଙ୍କ ଅଭିନୟକୁ ।

ତେବେ ଏହି ସଫଳତା କେବଳ ବଡ ପରଦା ମଧ୍ୟରେ ସୀମିତ ହୋଇରହିନଥିଲା, ଛୋଟ ପରଦାରେ ମଧ୍ୟ ବେଶ ଲୋକପ୍ରିୟତା ହାସଲ କଲେ ବିଗ୍ ବି ଅମିତାଭ୍ | ରିୟାଲିଟି ଶୋ କୌନ ବନେଗା କରୋଡପତି ସିରିଜ୍ରେ ଅମିତାଭଙ୍କ ନିଆରା ଉପସ୍ଥାପନା ଶୈଳିକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ | ଅନ୍ୟପକ୍ଷରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ନିଆରା ଢଙ୍ଗରେ ଅମିତାଭଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏଥିପାଇଁ ସେ ୫ ଟନ୍ ବାଲି ବ୍ୟବହାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here