ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ନୂତନ ମାର୍ଗଦର୍ଶିକା ଅନୁଯାୟୀ, ଦୁର୍ଘଟଣାରେ କୌଣସି ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଲେ କିମ୍ବା ସେମାନେ ସ୍ଥାୟୀ ଭାବେ ବିକଳାଙ୍ଗ ହେଲେ, ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ମେଡିକାଲ ଜରୁରୀକାଳୀନ ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ନିୟମ ଅଧୀନରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମଡେଲ ଆଦର୍ଶ ବିଦ୍ୟାଳୟ ରେ ପଢ଼ୁଥିବା ଶିଶୁ ବାଟିକାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ସାମିଲ ହେବେ। କେବଳ ମୃତ୍ୟୁ ବା ବିକଳାଙ୍ଗ ନୁହେଁ, ବରଂ ଗୁରୁତର ଆହତ ଛାତ୍ରଛାତ୍ରୀଙ୍କ ଉନ୍ନତ ଚିକିତ୍ସା ପାଇଁ ପରିବହନ ସହାୟତାର ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି। ଯଦି କୌଣସି ବିଶେଷ ଚିକିତ୍ସା ପାଇଁ ଛାତ୍ରଛାତ୍ରୀଙ୍କୁ ନିଜ ଜିଲ୍ଲା ବାହାରକୁ ସ୍ଥାନାନ୍ତର କରାଯାଏ, ତେବେ ପରିବହନ ବାବଦକୁ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ରେ ୩ ଦିନରୁ ଅଧିକ ସମୟ ଚିକିତ୍ସିତ ହେଉଥିବା ଛାତ୍ରଛାତ୍ରୀଙ୍କୁ ପରିବହନ ଖର୍ଚ୍ଚ ବାବଦରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ। ସରକାରୀ ଡାକ୍ତରଖାନାରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ମାଗଣାରେ ଚିକିତ୍ସା ସୁବିଧା ପାଇବେ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି। ଏହାବ୍ୟତୀତ ପ୍ରଯୁଜ୍ୟ କ୍ଷେତ୍ରରେ ଆୟୁଷ୍ମାନ ଭାରତ, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF) ଏବଂ ରେଡ୍ କ୍ରସ୍ ଭଳି ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ମଧ୍ୟ ସେମାନେ ସହାୟତା ପାଇପାରିବେ। ଅନୁମୋଦନ ମିଳିବାର ୨୪ ଘଣ୍ଟା ମଧ୍ୟରେ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ। ମାମଲାର ପ୍ରକୃତିକୁ ଭିତ୍ତି କରି ପ୍ରଧାନ ଶିକ୍ଷକ, ବ୍ଲକ ଶିକ୍ଷା ଅଧିକାରୀ (BEO), ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ଜିଲ୍ଲାପାଳଙ୍କ ଭଳି ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ସହାୟତା ଅନୁମୋଦନ କରାଯିବ। ଦୁର୍ଘଟଣାରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଲେ ସହାୟତା ରାଶି ପାଇବାରେ ପରିବାର ସଦସ୍ୟଙ୍କ ପ୍ରାଥମିକତା ମଧ୍ୟ ସ୍ଥିର କରାଯାଇଛି। 

LEAVE A REPLY

Please enter your comment!
Please enter your name here