ନୂଆପଡ଼ା: ନୂଆପଡ଼ା କୋମନା ମୁଣ୍ଡାପଲା ଜମି ଜାଲିଆତି ଘଟଣାର ମୁଖ୍ୟ ଅଭିଯୁକ୍ତ ଅଭୟ ପଣ୍ଡା ଗିରଫ । ପୂର୍ବରୁ ଦୁଇ ନକଲି ଜମି ମାଲିକଙ୍କ ସହ ୮ ଜଣଙ୍କୁ ଗିରଫ କରାଯାଇଥିଲା । ଯେଉଁଥିରେ କାରଙ୍ଗାମାଲ ସରପଞ୍ଚ ରାମଲାଲ ପଣ୍ଡା ମଧ୍ୟ ଗିରଫ ହୋଇଥିଲେ । କୋମନା ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତ ଅଭୟ ପଣ୍ଡାଙ୍କୁ ଗିରଫ କରିଛି । ସୂଚନା ଥାଉ ଯେ, କୋମନା ତହସିଲ ଚାନ୍ଦୋପଳା ସ୍ଥିତ ଜାତୀୟ ରାଜପଥ ୩୫୩ କଡ଼ରେ ଥିବା ୪ ଏକର ୪୦ ଡେସିମିଲ ଜମିକୁ ଚଞ୍ଚକତା କରି ବିକ୍ରି କରିବାରେ ଅଭୟ ପଣ୍ଡା ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ସାହାଯ୍ୟ କରିଥିଲେ । ଜମି ମାଲିକ ସତ୍ୟନାରାୟଣ ପ୍ରଧାନୀ ଓ ଭଉଣୀ କୁମଦିନ ପ୍ରଧାନୀଙ୍କ ନାମରେ ଥିବା ୪ ଏକର ୪୦ ଡିସମିଲ୍ ଜମିକୁ କୋମନା ନକଲି ଜମି ମାଲିକ ସାଜି ସବ୍ ରେଜିଷ୍ଟ୍ରର ଅଫିସରେ ଜାଲିଆତି କରି ବିକ୍ରି କରିଥିଲେ । ପୂର୍ବରୁ କୋମନା ସବ୍ ରେଜିଷ୍ଟ୍ରର ତଥା ତହସିଲଦାର ସର୍ବେଶ୍ୱର ଜାଲଙ୍କୁ ନିଲମ୍ବନ କରିବା ସହ ଡ଼ିଲିଂ କ୍ଲର୍କ ରାମନାଥ ମିଶ୍ରଙ୍କୁ ନିଲମ୍ବନ କରାଯାଇଥିଲା ।










