ଭୁବନେଶ୍ୱର: ବିଧାନସଭାରୁ ଆସିଛି ସିଗାରେଟ୍ ବିକ୍ରିକୁ ନେଇ ବଡ଼ ତଥ୍ୟ। ଏକ ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ସିଗାରେଟ୍ ବିକ୍ରି ଓ ଏଥିରୁ ମିଳୁଥିବା ରାଜସ୍ୱର ହିସାବ ରଖିଛନ୍ତି। ସରକାରୀ ତଥ୍ୟ ଅନୁସାରେ, ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାରେ ମୋଟ ୨ ହଜାର ୧୦୩ କୋଟି ୯୬ ଲକ୍ଷ ୮୬ ହଜାର ୬୮୬ ଟଙ୍କାର ସିଗାରେଟ୍ ବିକ୍ରି ହୋଇଛି। ଦିନକୁ ପ୍ରାୟ ୬ କୋଟି ଟଙ୍କାର ସିଗାରେଟ ବିକ୍ରି ହେଉଛି । ବର୍ଷକୁ ୨୧୦୩ କୋଟିରୁ ଅଧିକ ଟଙ୍କାର ବିକ୍ରି ଅର୍ଥାତ୍ ମାସକୁ ହାରାହାରି ୧୭୫ କୋଟି ୩୩ ଲକ୍ଷ ଟଙ୍କାର ସିଗାରେଟ୍ ବିକ୍ରି ହେଉଛି। ସେହିପରି ଦିନକୁ ହାରାହାରି ପ୍ରାୟ ୫ କୋଟି ୭୬ ଲକ୍ଷ ଟଙ୍କାର ସିଗାରେଟ୍ କାରବାର ହେଉଛି। ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁସାରେ, ୨୦୨୫-୨୬ରେ ସିଗାରେଟ୍ ବିକ୍ରିରୁ ରାଜ୍ୟ ରାଜକୋଷକୁ ମିଳିଛି ୩୧୯ କୋଟି ୫୪ ଲକ୍ଷ ୧୩ ହଜାର ୪୨ ଟଙ୍କା। ଅର୍ଥାତ୍ ସିଗାରେଟ୍ ବିକ୍ରିର ମୂଲ୍ୟ ତୁଳନାରେ ପ୍ରାୟ ୧୫ ପ୍ରତିଶତ ରାଜସ୍ୱ ସରକାରଙ୍କୁ ମିଳିଥିବା ହିସାବରୁ ଜଣାପଡ଼ୁଛି। ଏପଟେ ସିଗାରେଟ୍ ଉପରେ ଟିକସ ବ୍ୟବସ୍ଥାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଫେବ୍ରୁଆରୀ ୨୦୨୬ରୁ ସିଗାରେଟ୍ ଉପରେ ଜିଏସ୍ଟି ହାର ୨୮ ପ୍ରତିଶତରୁ ୪୦ ପ୍ରତିଶତକୁ ବୃଦ୍ଧି ପାଇଥିବା ତଥ୍ୟ ଉଲ୍ଲେଖ କରାଯାଉଛି। ଟିକସ ବୃଦ୍ଧିର ପ୍ରଭାବ ସିଗାରେଟ୍ର ଖୁଚୁରା ଦାମ୍ ଉପରେ ପଡ଼ିବା ସ୍ୱାଭାବିକ। ଦାମ୍ ବଢ଼ିଲେ ଧୂମପାନ କମିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଓଡ଼ିଶାରେ ସିଗାରେଟ୍ ବିକ୍ରିର ଏହି ବିଶାଳ ଆର୍ଥିକ ପରିମାଣ ଧୂମପାନ ନିୟନ୍ତ୍ରଣକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି l














