ନୂଆଦିଲ୍ଲୀ:ପୂର୍ବ ଦିଲ୍ଲୀର କ୍ରିଷ୍ଣା ନଗର ଅଞ୍ଚଳରେ ଥିବା ଏକ ସ୍କୁଲ ପରିସରରୁ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ପୋଡ଼ିଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ସ୍କୁଲରେ ନିଆଁ ଲାଗିଥିବା ନେଇ ପୋଲିସ କଣ୍ଟ୍ରୋଲ ରୁମ୍ କୁ କଲ୍ ଆସିଥିଲା। ଖବର ପାଇ କୃଷ୍ଣା ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସ୍କୁଲର ଗାର୍ଡ ରୁମ୍ ପଛପଟେ ଛାତ୍ରୀ ଜଣକ ଗୁରୁତର ଭାବେ ପୋଡ଼ି ଯାଇଥିବା ଅବସ୍ଥାରେ ପଡ଼ିଥିଲେ ବୋଲି ଡେପୁଟି କମିଶନର ଅଫ୍ ପୋଲିସ (DCP) ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ପୋଲିସ ଏକ ତିନି ପୃଷ୍ଠାର ନୋଟ୍ ଉଦ୍ଧାର କରିଥିବା ବେଳେ ଏହି ଘଟଣାର ତଦନ୍ତ ଜାରି ରହିଛି। ଘଟଣାସ୍ଥଳରୁ ଏବଂ ଛାତ୍ରୀଙ୍କ ବ୍ୟାଗରୁ ପ୍ରାଥମିକ ତଦନ୍ତ ସମୟରେ କିଛି ସାମଗ୍ରୀ ଜବତ କରାଯାଇଛି। ଜବତ ହୋଇଥିବା ନୋଟରେ କଣ ଲେଖାଯାଇଛି ଏବଂ ମିଳିଥିବା ସାମଗ୍ରୀର ପ୍ରକୃତି ସମ୍ପର୍କରେ ମଧ୍ୟ ପୋଲିସ କୌଣସି ତଥ୍ୟ ସାର୍ବଜନୀନ କରିନାହିଁ। କ୍ରାଇମ ସିନ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି।











