ବିଶାଖାପାଟନମ୍‌: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଷ୍ଟିଲ୍ ପ୍ଲାଣ୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ପ୍ଲାଣ୍ଟର ଏସଏମଏସ୍‌-୨ ଓ ଏସ୍‌ଟିସି-୩ ହିଟ୍‌ ୟୁନିଟରେ ଗରମ ତରଳ ଲୁହା ମାଡି ଯିବାରୁ ଅନେକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଉତ୍ତପ୍ତ ତରଳ ଷ୍ଟିଲକୁ ଗୋଟିଏ ଲାଡଲେରେ ସ୍ଥାନାନ୍ତର କରାଯାଉଥିବା ବେଳେ ଘଟିଥିଲା ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣ ପରେ ବିପୁଳ ପରିମାଣର ଉତ୍ତପ୍ତ ତରଳ ଷ୍ଟିଲ ଲିକ ହେବାରେ ଲାଗିଥିଲା। ସେହିପରି କାରଖାନାର କିଛି ଅଂଶରେ ଅଗ୍ନିକାଣ୍ଡ ମଧ୍ୟ ଘଟିଥିଲା। ପୁଲିସ୍‌ର କହିବା କଥା ଯେ ତରଳ ଧାତୁର ଉତ୍ତାପ ପ୍ରାୟ ୧୬୦୦ ଡିଗ୍ରୀ ସେଲସିୟସ ରହିଥିଲା। ଏଥିଯୋଗୁ କିଛି ଶ୍ରମିକ ଦୁର୍ଘଟଣା ପରେ ସଂପୂର୍ଣ୍ଣ ପୋଡ଼ି ଯାଇ ପ୍ରାଣ ହରାଇଛନ୍ତି। ବିସ୍ଫୋରଣ ପରେ ପୂରା କାରଖାନାରେ ଉପସ୍ଥିତ ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ସେମାନେ ଉଦ୍ଧାର ପାଇଁ ଚିତ୍କାର କରିଥିଲେ। ଷ୍ଟିଲ ପ୍ଲାଣ୍ଟ ସୁରକ୍ଷା କର୍ମଚାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ଏହାପରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା। ଘଟଣାକୁ ବିଶାଖାପଟନମ ଷ୍ଟିଲ ପ୍ଲାଣ୍ଟ ସର୍କଲ ଇନସପେକ୍ଟର କେଶବ ରାଓ ନିଶ୍ଚିତ କରିଛନ୍ତି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଘଟଣାରେ ଗଭରୀର ଶୋକ ପ୍ରକାଶ କରିଛନ୍ତି। ସେ ଅଧିକାରୀମାନଙ୍କ ସହ କଥା ହୋଇ ସ୍ଥିତି ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଦୁର୍ଘଟଣାରେ ମୃତାହତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ପରିସ୍ଥିତିରେ ଏତେ ବଡ଼ ଘଟଣା ଘଟିଲା, ତା’ର ତଦନ୍ତ ମଧ୍ୟ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here