ପୁରୀ: ଆଜି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୁଏ । ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଦରୁ ଉଠନ୍ତି । ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀରୁ ମହାପ୍ରଭୁ ଶୟନ କରିଥାନ୍ତି । ମହାପ୍ରଭୁଙ୍କ ଏହି ଉତଥାପନ ଏକାଦଶୀକୁ ବଡ଼ ଏକାଦଶୀ ବୋଲି କୁହାଯାଏ । ଏହି ଦିନରୁ ପଞ୍ଚକ ମଧ୍ୟ ଆରମ୍ଭ ହୋଇଥାଏ ।ପଞ୍ଚୁକ ବ୍ରତ ର ପ୍ରଥମ ଦିବସରେ ତଥା ହରିଉତ୍ଥାପନ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ, ଦ୍ୱାଦଶୀରେ ବାଙ୍କଚୂଡ଼ା ବେଶ, ତ୍ରୟୋଦଶୀ ଦିନ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀ ଦିନ ଲକ୍ଷ୍ମୀନୃସିଂହ ବେଶ ଓ ଅନ୍ତିମ ଦିବସରେ ରାଜାଧିରାଜ ବେଶରେ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି ମହାପ୍ରଭୂ।ଶ୍ରୀମନ୍ଦିର ଚୂନରା ସେବକ ଶରତ କୁମାର କହିଛନ୍ତି, ‘‘ଚଳିତ ବର୍ଷ ତିଥି କ୍ଷୟ ଯୋଗୁ ଚଳିତବର୍ଷ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ଅନୁଷ୍ଠିତ ହେବ। ଚଳିତବର୍ଷ ମହାପ୍ରଭୂ ଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହେବ ନାହିଁ।ମହାପ୍ରଭୁଙ୍କ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଆଗମନ ହେବାରେ ଲାଗିଛି।ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଶ୍ରଦ୍ଧାଳୁମାନେ ମାର୍କେଟ ଛକରୁ ବାରିକେଡ୍ ଦେଇ ସିଂହଦ୍ୱାର ପର୍ଯ୍ୟନ୍ତ ପ୍ରବେଶ କରୁଥିବା ବେଳେ ଅନ୍ୟ ତିନୋଟି ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି।














