ପାକିସ୍ତାନ ଅଧିକୃତ କାଶ୍ମୀରକୁ ପଳାୟନ କରିଥିବା ୩୦୦ ରୁ ଅଧିକ ବ୍ୟକ୍ତି ବର୍ତ୍ତମାନ ସୁରକ୍ଷା ଏଜେନ୍ସିର ନଜରରେ ଅଛନ୍ତି। ସୀମାବର୍ତ୍ତୀ ପୁଞ୍ଚ ଏବଂ ରାଜୌରୀ ଜିଲ୍ଲାରେ ସେମାନେ ନାର୍କୋ-ଟେରର କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗ ହୋଇଛି । ଏହି ବ୍ୟକ୍ତିମାନେ ଆତଙ୍କବାଦୀ ଗାଇଡ୍ ଭାବରେ କାର୍ଯ୍ୟ କରିବା ସହ ସ୍ଥାନୀୟ ଯୁବକମାନଙ୍କୁ କୁପଥରେ ପରିଚାଳିତ କରୁଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ପାକିସ୍ତାନରେ ଥିବା ଏହି ଆତଙ୍କବାଦୀ ହ୍ୟାଣ୍ଡଲର୍‌ମାନେ ପୁଞ୍ଚ ଏବଂ ରାଜୌରୀର ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରିବା ପାଇଁ ପ୍ରଲୋଭିତ ମଧ୍ୟ କରୁଛନ୍ତି। ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ମାଧ୍ୟମ ବ୍ୟବହାର କରି ସେମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରାଯାଉଛି। ଏହି ପଳାୟନକାରୀମାନଙ୍କ ମଧ୍ୟରୁ ଅଧିକାଂଶ ପୁଞ୍ଚ ଜିଲ୍ଲାର ସୁରନକୋଟ୍, ମେନ୍ଧର, ମାନସି ଗୁରସାଇ ଏବଂ ସାଓଜିଆନ୍ ଅଞ୍ଚଳର ଅଟନ୍ତି। ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ବ୍ୟକ୍ତିମାନଙ୍କର ଏକ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରି ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୯୦ ଦଶକର ଶେଷ ଭାଗରେ ପୁଞ୍ଚ ଏବଂ ରାଜୌରୀ ଜିଲ୍ଲାର ଅନେକ ଲୋକ ଉନ୍ନତ ଅର୍ଥନୈତିକ ସୁଯୋଗ ଆଶାରେ ସୀମା ପାର ହୋଇ PoK କୁ ଯାଇ, ସେଠାକାର ମସଜିଦଗୁଡ଼ିକରେ କରାଯାଉଥିବା ଘୋଷଣା ଏବଂ ଚାକିରିର ପ୍ରଲୋଭନରେ ପଡ଼ି ସେମାନେ ସେଠାକୁ ଯାଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ନିଜର ଭୁଲ୍ ବୁଝିପାରିଥିଲେ, କାରଣ ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ସେମାନଙ୍କୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିବାକୁ ଚାହୁଁଥିଲା ଓ ସେମାନଙ୍କୁ ବାଧ୍ୟ କରି ଆତଙ୍କବାଦୀ ମାର୍ଗଦର୍ଶକ ଏବଂ ମାଦକ ଦ୍ରବ୍ୟ ଚୋରା ଚାଲାଣରେ ମଧ୍ୟ ବ୍ୟବହାର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here