ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଥାନା ସୁଡ଼ଙ୍ଗ ଗାଁରେ ଏକ ମର୍ମନ୍ତୁଦ ଅଘଟଣ ଘଟିଛି। ଲକ୍ଷ୍ମୀପୂଜା ଦେଖିବାକୁ ଆସିଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଗୁରୁତରଙ୍କୁ ପ୍ରଥମେ ବାଂଶପାଳ ଡାକ୍ତରଖାନା ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗାଁରେ ଲକ୍ଷ୍ମୀପୂଜା ଚାଲିଥିବା ସମୟରେ ହଠାତ୍ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିଲା। ଏହାପରେ ୫ ଜଣ ଯୁବକ/ପିଲା ଗୋଟିଏ କୋଠରୀ ଭିତରେ ଜେନେରେଟର୍ ଚାଲୁ କରି କବାଟ ଓ ଝରକା ସଂପୂର୍ଣ୍ଣ ବନ୍ଦ କରି ଶୋଇ ପଡ଼ିଥିଲେ। ଜେନେରେଟରରୁ ବାହାରିଥିବା ବିଷାକ୍ତ କାର୍ବନ ମୋନୋକ୍ସାଇଡ୍ ଗ୍ୟାସ୍ ଘର ଭିତରେ ଜମିଯିବାରୁ ସେମାନେ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ଆଜି ସକାଳୁ ସେମାନଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରାଯାଇ ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଅନ୍ୟ ୩ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଖବର ପାଇ ନୟାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।










