ଉଦଳା: ମୟୁରଭଞ୍ଜ ଜିଲ୍ଲା ଦିବ୍ୟସିଂପୁର ଗ୍ରାମରେ ମା’ ଏବଂ ଦିବ୍ୟାଙ୍ଗ ଝିଅର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ଉଦଳା ଥାନା ଅନ୍ତର୍ଗତ ଦିବ୍ୟସିଂପୁର ଗ୍ରାମ ନିକଟରେ ଥିବା କେନାଲରେ ଆଜି ଏକ ମୃତଦେହ ଉଲଗ୍ନ ଅବସ୍ଥାରେ ଭାସୁଥିବା ବେଳେ ନିକଟରେ ଥିବା ଏକ ଭଙ୍ଗ ଘରୁ ଦୁର୍ଗନ୍ଧ ଆସିଥିଲା। ସେହି ଭଙ୍ଗା ଘରୁ ଅନ୍ୟ ଏକ ଗଳିତ ମୃତଦେହ ମିଳିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଉଦଳା ଥାନା ପୋଲିସକୁ ଖବର ଦେଇଥିଲେ । ମୃତକ ହେଲେ ଫୁଲମଣି ହେମ୍ବ୍ରମ ଏବଂ ତାଙ୍କର ଦିବ୍ୟାଙ୍ଗ ନାବାଳିକା ଝିଅ । ସୂଚନା ଅନୁସାରେ, ପୁଲିସ ଘଟଣା ସ୍ଥଳରେ ପହଁଚି ଘରେ ଟଙ୍ଗା ହୋଇଥିବା ମଶାରୀ ଭିତରୁ ଫୁଲମଣିଙ୍କ ମୃତଦେହକୁ ଜବତ କରିଥିଲା । ସେହିପରି କେନାଲରେ ଭାସୁଥିବା ମୃତଦେହକୁ ଉଦ୍ଧାର କରିବା ପରେ ସେ ଫୁଲମଣିଙ୍କ ଦିବ୍ୟାଙ୍ଗ ନାବାଳିକା ଝିଅ ବୋଲି ଜଣାପଡ଼ିଥିଲା । ସେପଟେ ଘର ଭିତର ସମସ୍ତ ଜିନିଷ ଅସଜଡ଼ା ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେଣୁ ଉଭୟଙ୍କୁ ହତ୍ୟା କରାଯାଇଥିବା ପୁଲିସ ଅନୁମାନ କରିଛି । ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଛାନଭିନ କରୁଛି । ଆଖପାଖ ଲୋକଙ୍କ କହିବା ଅନୁସାରେ ପୂର୍ବରୁ ମୃତକ ଫୁଲମଣିଙ୍କର ଜମିବାଡ଼ି ବିବାଦ ରହିଥିଲା। ତେଣୁ କେହି ପୂର୍ବ ଶତ୍ରୁତାରୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ଦୁଇଟି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇ ଥିବାବେଳେ ତଦନ୍ତ ଆରମ୍ଭ ହୋଇଛି ।













