କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି ହୋଇଛି । ଜାନୁଆରି ୨୩ ତାରିଖରେ କଟକରେ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ ମୁଖ ଅତିଥି ଭାବେ ଯୋଗଦେଇଥିଲେ କିନ୍ତୁ ସ୍ଥାନୀୟ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ସେଥିପାଇଁ ସାଂସଦ ଶ୍ରୀଯୁକ୍ତ ସାମନ୍ତରାୟ ରାଜ୍ୟସଭାରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ସଭା ପାଇଁ ଏକ ପ୍ରକାର ଅପମାନ ଅଟେ । ସେଥିପାଇଁ କଟକ ଜିଲ୍ଲାପାଳଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି ପାଇଁ ଦାବି କରିଥିଲେ। ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସହ ବିଜେଡ଼ିର ଅନ୍ୟ ସାଂସଦଙ୍କ ପକ୍ଷରୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦିଆଯାଇଥିବା ଲିଖିତ ଅଭିଯୋଗକୁ ଗ୍ରହଣ କରି ନୋଟିସ ଜାରି କରାଯାଇଛି। ଦେବାଶିଷ କହିଛନ୍ତି ଯେ,” ଜିଲ୍ଲାପାଳଙ୍କ ବାବଦରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲି । ତାଙ୍କ ନିର୍ଦ୍ଦେଶ କ୍ରମେ ଡିଓପିଟି ବିଭାଗ ଘଟଣାର ଅନୁଧ୍ୟାନ କରିବ । ପୂର୍ବରୁ ପ୍ରୋଟୋକଲ ମାନି ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିଛନ୍ତି । ବର୍ତ୍ତମାନ ସେ କାହିଁକି ଏଭଳି କଲେ ଜଣା ନାହିଁ ।” ଜିଲ୍ଲାପାଳ ନିମନ୍ତ୍ରଣ ପଠାଇଥିବା ଦାବିର ମଧ୍ୟ ସାଂସଦ ପ୍ରତିକ୍ରିୟା ରଖିଛନ୍ତି । ସାଂସଦ କହିଛନ୍ତି ଯେ ଇମେଲ୍ରେ ନିମନ୍ତ୍ରଣ କରିଥିଲେ କିନ୍ତୁ ଇମେଲ୍ରେ ନିମନ୍ତ୍ରଣ ଯଥେଷ୍ଟ ନୁହେଁ । ସକାଳେ କାର୍ଯ୍ୟକ୍ରମ ଥିବା ବେଳେ ରାତି ସାଢ଼େ ୮ ଟା ରାଜ୍ୟସଭା କାର୍ଯ୍ୟାଳୟକୁ ଆସିଛି । ସେହିପରି କୌଣସି ଫଳକ କିମ୍ବା ନିମନ୍ତ୍ରଣ କାର୍ଡରେ ଅତିଥି ତାଲିକାରେ ତାଙ୍କ ନାମ ନଥିବା ଦେବାଶିଷ କହିଛନ୍ତି । ଘଟଣାର ତର୍ଜମା କରି ପଦକ୍ଷେପ ନିଆଯିବ ବୋଲି ସେ ଆଶା ରଖଛନ୍ତି । କଟକ ଜିଲ୍ଲାପାଳ କହିଛନ୍ତି ଯେ,ସେ ସମସ୍ତ ପ୍ରୋଟୋକଲ୍ ମାନିଛନ୍ତି । ସାଂସଦଙ୍କୁ ଇମେଲ୍ ଯୋଗେ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ସେ ଆସିନଥିଲେ ।









