ପାଞ୍ଚଦିନ ଧରି ବିଧାନସଭାରେ ଅଚଳାବସ୍ଥା ଲାଗିରହିଛି । ଗୃହର ନେତା ହିସାବରେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁନାହାଁନ୍ତି । କିନ୍ତୁ ବାହାରେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଏମିତି ଆରୋପ ଲଗାଇ ଆଜି ବିଜେପି ବିଧାୟକ ଓ ନେତାମାନେ ବିଧାନସଭାରୁ ଚାଲି ଚାଲି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ଯାଉଛନ୍ତି ବୋଲି କହିଛନ୍ତି । ବିଧାନସଭାରୁ ବିଜେପି ନେତାଙ୍କ ଶୋଭାଯାତ୍ରା ନବୀନ ନିବାସ ଆଡେ ଯାଉଥିବା ବେଳେ ଲୋକସେବା ଭବନ ନିକଟରେ ଉଭୟ ବିଜେଡି ଓ ବିଜେପି ନେତା ମୁହାଁମୁହିଁ ହୋଇଛନ୍ତି । ସେପଟେ ନବୀନ ନିବାସରେ ଛାତ୍ର ଓ ଯୁବ ବିଜେଡି ନେତା ଏକାଠି ହୋଇଥିବା ବେଳେ ନବୀନ ନିବାସକୁ ବିଜେପି ନେତାଙ୍କୁ ଆମେ ପାଛୋଟି ନେବୁ ବୋଲି କହିଛି ବିଜେଡି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ମଣ୍ଡିରୁ ଚାଷୀଙ୍କ ଧାନ କିଣାଯାଉନାହିଁ । ଚାଷୀ ହନ୍ତସନ୍ତ ହେଉଛନ୍ତି । ବିଧାନସଭାରେ ବିରୋଧୀ ଦଳ ପାଟିତୁଣ୍ଡ, ହଟ୍ଟଗୋଳ କଲେ ବି ଗୃହକୁ ମୁଖ୍ୟମନ୍ତ୍ରୀ ଆସୁନାହାଁନ୍ତି । ତେଣୁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁଠି ପାଇବୁ, ସେଠି ଚାଷୀଙ୍କ ସମସ୍ୟାର ସମାଧାନ କଥା ପଚାରିବୁ । ହାତରେ ପ୍ଲାକାର୍ଡ ଧରି ବିଜେପି ନେତାମାନେ ଶୋଭାଯାତ୍ରାରେ ଯାଉଥିବା ବେଳେ ବିଜେଡି ବିଧାୟକମାନେ ବି ନବୀନ ନିବାସ ଯାଉଥିବା ସୂଚନା ମିଳିଛି । ବିଧାନସଭାରେ ଗତ ପାଞ୍ଚଦିନ ଧରି ଅଚଳାବସ୍ଥା ଲାଗି ରହିଥିବା ବେଳେ ବାହାରେ ଦୁଇଦଳ ଶାସକ ଓ ବିରୋଧୀଙ୍କ ହାଇଡ୍ରାମା ଚାଲିଛି ।

LEAVE A REPLY

Please enter your comment!
Please enter your name here