ସମସ୍ତଙ୍କ ଆଖିରେ ଲୁହ, ହୃଦୟରେ କୋହ I କେହି ମୁହଁ ଲୁଚାଇ କାନ୍ଦୁଛି ତ, ଆଉ କିଏ କୁଣ୍ଢେଇ ପକେଇ କାନ୍ଦୁଛି I ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ I କୁହାଯାଏ ଡାକ୍ତର ହେଉଛନ୍ତି ଦ୍ବିତୀୟ ଇଶ୍ବର I ତାକୁ ପ୍ରମାଣ କରି ଦେଖାଇ ଦେଇଛନ୍ତି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଭିନାଶ ରଥ I 2015 ମସିହାରେ ଭୁବନେଶ୍ୱର ମହାନଗରରୁ ଆସି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯ଼ୋଗ ଦେଇଥିଲେ MBBS ଡାକ୍ତର ଅଭିନାଶ ରଥ I କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ I ଏଠାରେ ଯ଼ାତାୟତ ତଥା ଦୂର ସଂଚାର ଅଭାବରୁ ଉଚିତ ସ୍ୱାସ୍ଥ୍ୟ ସେବା ମିଳିପାରେ ନାହିଁ I କିନ୍ତୁ ଡାକ୍ତର ରଥ ଆସିବା ପରଠାରୁ ଲୋକମାନଙ୍କୁ ଗୁଣାମକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସହ ବହୁ ସଚେତନତା ଅଭିଯାନ ଆରମ୍ଭ କରିଥିଲେ I ନିଜର ମଧୁର ବ୍ୟବହାର, କର୍ତ୍ତବ୍ୟ ପରାୟଣତାରେ ସେ ସମସ୍ତଙ୍କୁ ଏମିତି ନିଜର କରିଥିଲେ ଯେ ଆଜି ସମସ୍ତେ କାନ୍ଦୁଛନ୍ତି I 4 ବର୍ଷ 8 ମାସର ରହଣି ପରେ ଡାକ୍ତର ଅଭିନାଶଙ୍କ ବଦଳି ପିପିଲିକୁ ହୋଇଛି I ମାତ୍ର ଡାକ୍ତରଙ୍କ ବଦଳି ଆପଣାର ଲୋକକୁ ବିଦାୟ ଦେବା ଭଳି ହୋଇଛି I ରାମପୁର ଅଞ୍ଚଳର ହଜାର ହଜାର ପୁରୁଷ ଓ ମହିଳା ବାଜା ବଜାଇ, ବନ୍ଦାପନା କରି ଡାକ୍ତରଙ୍କୁ ବିଦାୟ ଦେବାର ଦୃଶ୍ୟ ସତରେ ଅଭୁତ I
ରିପୋର୍ଟ-ସୌମ୍ୟରଂଜନ ଅଗସ୍ତି

LEAVE A REPLY

Please enter your comment!
Please enter your name here