ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଦଳ ପ୍ରଭାରୀ ଅରୁଣ ସିଂହ. ବସନ୍ତଙ୍କ ନେତୃତ୍ବରେ ଦଳ ଆଗକୁ ଚାଲିବ ବୋଲି ସ୍ପଷ୍ଟ କରିଦେଇଛନ୍ତି ଅରୁଣ. ମାତ୍ର ବସନ୍ତଙ୍କ ନେତୃତ୍ବ ଦଳକୁ କେତେ ସଫଳତା ଦେବ, ତାହାକୁ ନେଇ ଦଳ ଭିତରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି . ବସନ୍ତଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି . ଅମିତ ଶାହାଙ୍କ 120 ମିଶନ ସ୍ବପ୍ନ ଠାରୁ ବହୁତ ଦୂରକୁ ଚାଲିଗଲାଣି . ବସନ୍ତଙ୍କ ନେତୃତ୍ବରେ ଦଳ ଯଦି ନିର୍ବାଚନ ଲଢିବ, ତେବେ ଦଳ ତୃତୀୟ ସ୍ଥାନରେ ରହିବାର ସମ୍ଭାବନା ବଢିବାରେ ଲାଗିଛି. ପଞ୍ଚାୟତ ନିର୍ବାଚନରେ ଦଳ ଯେଉଁ ଟକ୍କର ଦେଇଥିଲା, ଏବେ ସେ ଅବସ୍ଥା ନାହିଁ . ବିଜେଡି ତାର ରଣକୌଶଳ ବଦଳେଇ ସାରିଛି ଏବଂ ବିଜେପି ଠାରୁ ଢେର୍ ଆଗରେ ରହିଛି. ଏକଥା ଯେ ଦଳୀୟ ନେତୃତ୍ବକୁ ଅଜଣା, ସେକଥା ନୁହେଁ . ବସନ୍ତ ପଣ୍ଡା ଯେ ରାଜ୍ୟ ବିଜେପିରେ କେନ୍ଦ୍ରମନ୍ତ୍ରୀଙ୍କ ରବର ଷ୍ଟାମ୍ପ ଭାବେ କାର୍ଯ୍ୟ କରୁଛନ୍ତି, ତାହା ସମସ୍ତେ ଜାଣନ୍ତି. ମାତ୍ର ଜଣେ ନେତାଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଲେ ଦଳ ସ୍ବାର୍ଥକୁ ବଳୀ ପକାଇବାକୁ ପଡିବ ବୋଲି କେନ୍ଦ୍ରୀୟ ନେତୃତ୍ବ ପାଖରେ ତଥ୍ୟ ରହିଛି. ସୁତରାଂ ପ୍ରଭାରୀ ଅରୁଣ ସିଂହ ଗଣମାଧ୍ୟମରେ ଯଦିଓ ବସନ୍ତ ବଦଳିବେ ନାହିଁ, ଗରିବ ପରିବାରରୁ ଆସିଛନ୍ତି ଏବଂ ବହୁ ସଂଘର୍ଷ କରିଛନ୍ତି ବୋଲି ଯାହା କହିଛନ୍ତି, ତାହା କେବଳ ଲୋକ ଦେଖାଣିଆ ବୋଲି ଚର୍ଚ୍ଚା ହେଉଛି.