ପଶ୍ଚିମବଙ୍ଗରେ ସିବିଆଇକୁ ନେଇ ଚାଲିଥିବା ଝାମେଲାରେ ତାଙ୍କ ସହ ଟିଏମସିର କେହି ଯୋଗାଯୋଗ କରିନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସ୍ପଷ୍ଟ କରିଛନ୍ତି. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ. ତେବେ ଓଡିଶାରେ ସିବିଆଇ କରୁଥିବା ତଦନ୍ତକୁ ନେଇ ନବୀନ କହିଛନ୍ତି, ସିବିଆଇ ପ୍ରଫେସନାଲ ହେବା ଉଚିତ ଏବଂ ରାଜନୀତି ଠାରୁ ଉର୍ଦ୍ଧ୍ବରେ ରହି କାମ କରିବା ଆବଶ୍ୟକ. ଓଡିଶାରେ ମଧ୍ୟ ସିବିଆଇର କାର୍ଯ୍ୟକଳାପକୁ ପୂର୍ବରୁ ବିଜେଡି ସମାଲୋଚନା କରିଥିଲା. ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏବଂ ଏବେ ସାଧାରଣ ନିର୍ବାଚନ ପୂର୍ବରୁ ସିବିଆଇର କାର୍ଯ୍ୟ ଉପରେ ବିଜେଡି ମଧ୍ୟ ଆପତ୍ତି ଉଠାଇଥିଲା. କେନ୍ଦ୍ରରେ ବିଜେପି ସରକାର ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ନେଇ ଅଣବିଜେପି ଦଳଗୁଡିକ ଅଭିଯୋଗ କରି ଆସିଛନ୍ତି. ଏପରିକି ସିବିଆଇ ଡାଇରେକ୍ଟର ପଦରୁ ଆଲୋକ ବର୍ମାଙ୍କୁ ବଦଳି କରାଯିବା ପ୍ରସଙ୍ଗରୁ ସିବିଆଇର ନିରପେକ୍ଷ ଭାବମୂର୍ତ୍ତିରେ ଦାଗ ଲାଗି ସାରିଛି. ସୂଚନାଯୋଗ୍ୟ, କେନ୍ଦ୍ର ବିଜେପି ସରକାର ସିବିଆଇକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ପ୍ରତିବାଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଥିବା ବେଳେ ବହୁ ଅଣବିଜେପି ନେତା ତାଙ୍କୁ ସମର୍ଥନ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here