ରୀତି-ନୀତି ଓ ପରଂପରା ନାଁରେ ଯୌନ ନିର୍ଯାତନା. ଜଣେ ବିବାହିତା ମହିଲାଙ୍କୁ କେତେବେଳେ ନିଜ ଶଶୁରଙ୍କ ସହ ତ ଆଉ କେତେବେଳେ ଦିଅରଙ୍କ ସହ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରାଯାଉଛି. ସ୍ବାମୀ ତିନ୍ ତଲାକ କହି ଛାଡପତ୍ର (ଡିଭୋର୍ସ) ଦେବେ, ଆଉ ପୁଣିଥରେ ବିବାହ କରିବାକୁ ହେଲେ ନିଜ ସ୍ତ୍ରୀକୁ ବାପା ଓ ଭାଇଙ୍କ ସହ ଶାରିରୀକ ସଂପର୍କ ବା ହଲାଲା କରିବାକୁ ବାଧ୍ୟ କରିବା ଭଳି ଘଟଣା ଦେଖିବାକୁ ମିଳୁଛି.ଏମିତି କଦର୍ଯ୍ୟ ପ୍ରଥା ବିରୋଧରେ ଅଦାଲତର ଆଶ୍ରୟ ନେଇଛନ୍ତି ବରେଲିର ଜଣେ ମହିଳା.

ବରେଇଲିର ଏହି ମହିଳାଙ୍କ ଭଉଣୀ କୋର୍ଟରେ କରିଥିବା ଅଭିଯୋଗ ଅନୁଯାୟୀ, କିଲ୍ଲାର ଜଣେ ଯୁବକଙ୍କ ସହ ତାଙ୍କ ଭଉଣୀଙ୍କର ଜୁଲାଇ 5, 2009ରେ ବିବାହ ହୋଇଥିଲା. ବିବାହର ଦୁଇ ବର୍ଷ ପର୍ଯ୍ୟନ୍ତ ସବୁ ଠିକ ଥିଲା. ମାତ୍ର ଦୁଇ ବର୍ଷ ପରେ ଉକ୍ତ ମହିଳାଙ୍କର କିଛି ପିଲାଛୁଆ ନ ହେବାରୁ ଶାଶୁଘର ଲୋକେ ଆରମ୍ଭ କରିଦେଇଥିଲେ ମାନସିକ ଓ ଶାରୀରିକ ଅତ୍ୟାଚାର. ଉକ୍ତ ମହିଳାଙ୍କୁ ବନ୍ଧ୍ୟା ବୋଲି କହିବା ସହ କିଛି ଦିନ ପର୍ଯ୍ୟନ୍ତ ତାଙ୍କର ଖାଇବା ମଧ୍ୟ ବନ୍ଦ କରିଦେଇଥିଲେ. ଏହାଛଡା ବିଭିନ୍ନ ସମୟରେ ଉକ୍ତ ମହିଳାଙ୍କ ସ୍ୱାମୀ ତାଙ୍କୁ ଯୌନ ନିର୍ଯାତନା ମଧ୍ୟ ଦେଉଥିବା ତାଙ୍କ ଭଉଣୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି. ମହିଳାଙ୍କ ସ୍ୱାମୀ ପ୍ରଥମେ 2011 ମସିହା ଡିସେମ୍ବର 15 ତାରିଖରେ ତିନ୍ ତଲାକ କହି ଡିଭୋର୍ସ ଦେଇଥିଲେ. ପରେ ମହିଳାଙ୍କ ପରିବାର ଏ ବିଷୟରେ ପୁଣିଥରେ ଚିନ୍ତା କରିବାକୁ ଜ୍ୱାଇଁଙ୍କୁ ବୁଝାଇବା ପରେ ସେ ଏଥିରେ ରାଜି ହୋଇଥିଲେ. ମାତ୍ର ତାଙ୍କ ସହ ରହିବାକୁ ହେଲେ ଶଶୁରଙ୍କ ସହ ଶାରିରୀକ ସଂପର୍କ (ହଲାଲା) ରଖିବାକୁ ପଡିବ ବୋଲି କହିଥିଲେ. ସ୍ୱାମୀଙ୍କ କଥାରେ ତାଙ୍କ ଭଉଣୀ ରାଜି ନ ହେବାରୁ ତାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଏଭଳି କଦର୍ଯ୍ୟ ପ୍ରଥାକୁ  ପୁରା ପରିବାର ଗ୍ରହଣ କରିନେଇଥିଲେ. 10 ଦିନ ପର୍ଯ୍ୟନ୍ତ ମହିଳାଙ୍କ ଶ୍ୱଶୁର ନିଜ ବୋହୂକୁ ବଳାତ୍କାର କରିଥିଲେ. ଏହା ପରେ କିଛିଦିନ ସେମାନେ ସ୍ୱାମୀ ସ୍ତ୍ରୀ ଭାବେ ରହିବା ପରେ ପୁଣି ଜାନୁୟାରୀ 17ରେ ତାଙ୍କ ସ୍ୱାମୀ ତାଙ୍କୁ ଡିଭୋର୍ସ ଦେଲେ. ଏଥର ତାଙ୍କ ସ୍ୱାମୀ ନିଜ ସାନଭାଇ ସହ ସଂପର୍କ ରଖିବାକୁ ବାଧ୍ୟ କଲେ. ମାତ୍ର ସ୍ୱାମୀଙ୍କ ସର୍ତ୍ତରେ ରାଜି ହେଲେନି ତାଙ୍କ ଭଉଣୀ. ବରଂ ଏଭଳି ଘୃଣ୍ୟ ପ୍ରଥା ବିରୋଧରେ ସେ ଅଦାଲତର ଆଶ୍ରୟ ନେଇଛନ୍ତି.  ଆସନ୍ତା 15ରେ ଏହି ମାମଲାର ଶୁଣାଣି ହେବ.

 

 

LEAVE A REPLY

Please enter your comment!
Please enter your name here