ଚାଷୀଙ୍କ ଉନ୍ନତି ପାଇଁ କାଳିଆ ଯୋଜନା ଏକ ଐତିହାସିକ ଯୋଜନା । ୩୦ ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାରେ ସହାୟତା ପାଇଲେଣି । ଏପ୍ରିଲ ପହିଲାରୁ କାଳିଆର ଦ୍ୱିତୀୟ କିସ୍ତି ଟଙ୍କା ଦିଆଯିବ ବୋଲି କହିଛନ୍ତି ନବୀନ । ଚାଷୀ, ମହିଳା ଓ ଯୁବଶକ୍ତିର ବିକାଶ ଆମର ଲକ୍ଷ୍ୟ । ସେମାନଙ୍କର ବିକାଶରେ ନୂଆ ଓଡ଼ିଶା ସମ୍ଭବ ବୋଲି ନୂଆପଡାରେ ସାଧାରଣ ସଭାକୁ ସମ୍ବୋଧନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩୭ କୋଟି ୩୫ ଲକ୍ଷ ଟଙ୍କାର ୩୯ଟି ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୧୩୨ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ ହୋଇଛି । ସେହିପରି ୧୦୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ମିଶନଶକ୍ତି କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସିଡ୍ ମନି, ଡିଜିଟାଲ ସଶକ୍ତିକରଣ ସହାୟତା ଓ ବ୍ଲକ୍ ସ୍ତରୀୟ ମହାସଂଘଗୁଡ଼ିକୁ ଆଥିର୍କ ସହାୟତା ପ୍ରଦାନ କରିଛନ୍ତି । ସେହିପରି କାଳିଆ ଯୋଜନା ଓ ନିର୍ମାଣ ଶ୍ରମିକ ଯୋଜନାର ହିତାଧିକାରୀଙ୍କୁ ସାଇକେଲ ଓ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି ।