ନିର୍ବାଚନ ପୂର୍ବରୁ ନେତାମାନଙ୍କ ଦଳ ଅଦଳ ବଦଳ କରିବା ଜାରି ରହିଛି. ଏହା ମଧ୍ୟରେ ସମାଜବାଦୀ ପାର୍ଟିର ନେତ୍ରୀ ଜୟାପ୍ରଦା ବିଜେପିରେ ଯୋଗ ଦେଇଛନ୍ତି. ଅଭିନେତ୍ରୀ ଓ ପୂର୍ବତନ ସାଂସଦ ଜୟା ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି. ତେବେ ଦଳ ତାଙ୍କୁ ୟୁପିର ରାମପୁର ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି. ଅନ୍ୟପଟେ ସପାର ଆଜମ ଖାନ ମଧ୍ୟ ସେହି ଲୋକସଭା ଆସନରୁ ପ୍ରାର୍ଥୀ ଅଛନ୍ତି. ଯଦି ଏପରି ହୁଏ, ତେବେ ଏହାକୁ ନେଇ ଏକ କଡା ଟକ୍କର ଦେଖିବାକୁ ମିଳିବ. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ବର୍ଷ ଧରି ଜୟା ଓ ଆମଜ ଖାନଙ୍କ ମଧ୍ୟରେ ମତଭେଦ ଲାଗି ରହିଛି. ବିଜେପି ମହାସଚିବ ଓ ରାଜ୍ୟ ସଭା ସାଂସଦ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି. ଅମିତ ଶାହାଙ୍କୁ ଧନ୍ୟବାଦ ଦେଇ ସେ କହିଛନ୍ତି ମୋଦିଙ୍କ ହାତରେ ଦେଶ ସୁରକ୍ଷିତ ଅଛି. ଆଜି ଯାଏ ସେ ଯାହା କିଛି କରିଛନ୍ତି, ଅନ୍ତର ସହ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି.