ଯଦି ବିଜେପି ସଂଖ୍ୟା ଗରିଷ୍ଠ ଆସନରେ ବିଜୟ ଲାଭ କରେ, ତେବେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ?
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କଲା ପରେ ଏ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି.
ରାଜ୍ୟ ବିଜେପିରେ ପତିଆରା ବିସ୍ତାର କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ସମର୍ଥକମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବିବେଚନା କରୁଥିଲେ ହେଁ ଦଳ ଭିତରେ ଏହାକୁ ନେଇ ଦ୍ବନ୍ଦ୍ବ ରହିଥିବା ଜଣାପଡିଛି. ଅନ୍ୟ ପକ୍ଷରେ ନିର୍ବାଚନ ହାରିବା ଭୟରେ ଧର୍ମେନ୍ଦ୍ର ଏଥର ନିର୍ବାଚନ ଲଢି ନାହାଁନ୍ତି ବୋଲି ତାଙ୍କ ବିରୋଧୀ କହୁଛନ୍ତି. ଏଭଳି ସ୍ଥିତିରେ ନିର୍ବାଚନକୁ ଡରୁଥିବା ନେତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ କି
ବିଜେପି ପକ୍ଷରୁ କୁହାଯାଉଛି, ଯଦି ସରକାର ଗଢିବା ପାଇଁ ବିଧାନସଭା ନିର୍ବାଚନ ଫଳ ବିଜେପି ସପକ୍ଷରେ ଯାଏ, ତେବେ ସଂସଦୀୟ ଦଳ ନିଷ୍ପତ୍ତି ନେବ, କିଏ ହେବ ମୁଖ୍ୟମନ୍ତ୍ରୀ.
ଏବେ ଓଡିଶା ବିଜେପିରେ ଅନ୍ୟ ଦଳରୁ ଆମଦାନୀ ହୋଇଥିବା ପୁରୁଖା ନେତାଙ୍କର ଅଭାବ ନାହିଁ. ଯଦି ହିସାବ କରାଯାଏ, ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା, ଅର୍ଜୁନ ସେଠୀ, ବିଜୟ ମହାପାତ୍ର ଓ ରଘୁନାଥ ମହାନ୍ତିଙ୍କ ଭଳି ବହୁ ନେତା ଏବେ ପଦ୍ମ ଦଳକୁ ସମୃଦ୍ଧ କରିଛନ୍ତି. ତେବେ ମିଳିଥିବା ସୂଚନା ଅନୁଯାୟୀ ବିଜେପିର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ତାଲିକାରେ ଆମଦାନୀ ନେତାଙ୍କ ମଧ୍ୟରୁ କେବଳ ବୈଜୟନ୍ତ ପଣ୍ଡାଙ୍କ ନାଁ ଚର୍ଚ୍ଚାରେ ରହିଛି.
ମାତ୍ର ବିଜେପିର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ତାଲିକାରେ ଏକ ନମ୍ବରରେ ଅଛନ୍ତି ସମ୍ବିତ ପାତ୍ର. କେନ୍ଦ୍ର ରାଜନୀତିରେ ନିଜର ବଳିଷ୍ଠ ଯୁକ୍ତି ପାଇଁ ଖୁବ୍ ଲୋକପ୍ରିୟ ଯୁବ ନେତା ହେଉଛନ୍ତି ସମ୍ବିତ ପାତ୍ର. ଧର୍ମେନ୍ଦ୍ରଙ୍କ ତୁଳନାରେ ସମ୍ବିତଙ୍କ ଉପରେ ଦଳ ଅଧିକ ଆସ୍ଥାବାନ ବୋଲି କୁହାଯାଉଛି. ଏଥର ପୁରୀ ଲୋକସଭା ଆସନରୁ ସେ ଲଢୁଛନ୍ତି. ସେ ଲୋକସଭା ଜିତନ୍ତୁ ଅବା ହାରନ୍ତୁ, ଦଳ ସମ୍ବିତଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେବାକୁ ଚାହୁଁଛି.
ଦୁଇ ନମ୍ବରରେ ଅଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥାରେ ଆଇଏଏସ ଚାକିରୀ ଛାଡି ଏଥର ଭୁବନେଶ୍ବର ଲୋକସଭା ଆସନ ପାଇଁ ଲଢୁଥିବା ଅପରାଜିତା ଷଡଙ୍ଗୀଙ୍କ ନାଁ. ଓଡିଶା ରାଜନୀତିରେ ତାଙ୍କର କ୍ରେଜ ମଧ୍ୟ କିଛି କମ୍ ନାହିଁ. ପ୍ରଶାସକ ଭାବେ ସେ ଖୁବ୍ ଚର୍ଚ୍ଚିତ ଓ ଲୋକପ୍ରିୟ ଥିଲେ.
ତିନି ନମ୍ବରରେ ଅଛନ୍ତି ବୈଜୟନ୍ତ ପଣ୍ଡା. ବିଜେଡି ସାଂସଦ ଥାଇ ମଧ୍ୟ ସେ ସବୁବେଳେ ମୋଦୀଙ୍କ ଟିମରେ ରହି ଆସୁଥିଲେ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ନମ୍ବର ଶତ୍ରୁ ଭାବେ ପରିଚିତ ବୈଜୟନ୍ତଙ୍କୁ ବିଜେପି ଏଥର କେନ୍ଦ୍ରାପଡା ଆସନରୁ ପ୍ରାର୍ଥୀ କରିଛି.
ଚାରି ନମ୍ବରରେ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ. ରାଜ୍ୟ ବିଜେପିରେ ଦବଦବା ଥିବା ଧର୍ମେନ୍ଦ୍ରଙ୍କର କେନ୍ଦ୍ର ସଂଗଠନ ଉପରେ ପ୍ରଭାବ ରହିଛି. ନିର୍ବାଚନ ଲଢିନଥିଲେ ମଧ୍ୟ ମୋଦୀ ଓ ଶାହାଙ୍କ ଗୁଡ୍ ବୁକରେ ଥିବାରୁ ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଆସନରେ ବସାଇବର ସମ୍ଭାବନା ରହିଛି.
ପାଞ୍ଚ ନମ୍ବରରେ ଅଛନ୍ତି ପ୍ରତାପ ଷଡଙ୍ଗୀ. ଉତ୍ତର ପ୍ରଦେଶ ଭଳି କେନ୍ଦ୍ର ବିଜେପି ଯେମିତି ସମସ୍ତଙ୍କୁ ଆଚମ୍ବିତ କରି ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଲେ, ଓଡିଶା ରାଜନୀତିରେ ସେମିତି ପ୍ରତାପଙ୍କୁ ବସାଇ କେନ୍ଦ୍ର ନେତୃତ୍ବ ହଟଚମଟ କରିପାରେ ବୋଲି କୁହାଯାଉଛି. ରୋକଠୋକ କଥା ପାଇଁ ପରିଚିତ ଆରଏସଏସ ନେତା ପ୍ରତାପ ଷଡଙ୍ଗୀ ଏଥର ବାଲେଶ୍ବର ଲୋକସଭା ଆଶନରେ ନିର୍ବାଚନ ଲଢୁଛନ୍ତି.
ତେଣୁ ସରକାର ଗଢିବା ପାଇଁ ବିଜେପିକୁ ଭୋଟ ମିଳିଲେ ଦଳ ଭିତରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ କେବଳ ଧର୍ମେନ୍ଦ୍ର ପ୍ରଧାନ ଅଛନ୍ତି ବୋଲି ଭାବିବା ଠିକ୍ ନୁହେଁ. ସମ୍ବିତ ପାତ୍ର, ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ ମଧ୍ୟରୁ କାହାକୁ ବି ଦଳ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇପାରେ.