ସକାଳ ହେଲେ ଅନ୍ଧାରି ଇଲାକାରେ ଶୁଭେ ଅ, ଆ ଆଉ ପଣିକିଆର ଶଦ୍ଦ । ମଳି ମସିଆ ସାର୍ଟ ପ୍ୟାଣ୍ଟ ପିନ୍ଧି ବହିବସ୍ତାନୀ ଧରି ପିଲାମାନେ ହାଜର ହୋଇଯାନ୍ତି ସାନ୍ତନୁ ଅପା ସ୍କୁଲରେ । ସାନ୍ତନୁ ଅପା ସ୍କୁଲରେ ପିଲାଏ ଅ, ଆ, ପଣିକିଆ ଠୁ ପଞ୍ଚମ ଶ୍ରେଣୀ ଯାଏ ପାଠ ପଢନ୍ତି । ପିଲାଙ୍କ ପାଇଁ ସାନ୍ତନୁ ଅପା ସବୁକିଛି । ନିୟମଗିରି ଅଞ୍ଚଳରେ ଶାନ୍ତନୁ ଅପା ଭାବେ ଜଣାଶୁଣା ଏହି ମହିଳା ଜଣଙ୍କ ଅନାଥ ଏବଂ ଗରିବ ମାନଙ୍କ ପାଇଁ ପାଲଟିଛନ୍ତି ମା ଏବଂ ଶିକ୍ଷାଦାତ୍ରୀ ।
ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ଖମ୍ବେସି ଗାଁର ଏହି ଝାଟିମାଟି କୁଡିଆରେ ସାନ୍ତନୁ ଅପା ପିଲାଙ୍କୁ ପାଠ ପଢାନ୍ତି । ଚାଳିଶ ବର୍ଷ ତଳେ କସ୍ତୁରବା ସେବାକେନ୍ଦ୍ର ଜରିଆରେ ସାନ୍ତନୁ ଅପା କଟକରୁ ନିୟମଗିରି ଅଞ୍ଚଳକୁ ଆସିଥିଲେ । ଆଉ ନିୟମଗିରି ପାଦଦେଶରେ ଖମ୍ବେସି ଗାଁରେ ଆରମ୍ଭ ହୋଇଥିଲା କସ୍ତୁରବା ସେବାକେନ୍ଦ୍ର । ସେବେଠୁ ସାନ୍ତନୁ ଅପା ନିୟମଗିିରିର ଆତ୍ମା ସହ ଯୋଡି ହୋଇଯାଇଛନ୍ତି ।

ସାନ୍ତନୁ ଅପାଙ୍କ ଉଦ୍ୟମ ବଳରେ ପାହାଡ ଜଙ୍ଗଲରେ ଦିନ କଟାଉଥିବା ଜନଜାତି ସମ୍ପ୍ରଦାୟର ପିଲାମାନେ ଚାଟଶାଳୀରେ ସମୟ କାଟୁଛନ୍ତି । ଦିନ ଥିଲା ଏହି ଡଙ୍ଗରିଆ ଜନଜାତିର ପିଲାମାନେ ସ୍କୁଲର ବାରଣ୍ଡା ଚଢିନଥିଲେ । ହେଲେ ଏବେ ଆଉ ସେ ପରିସ୍ଥିତି ନାହିଁ । ସାନ୍ତନୁ ଅପାଙ୍କ ଚାଟଶାଳୀରେ ଏବେ ୩୦ରୁ ଅଧିକ ପିଲା ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଠ ପଢୁଛନ୍ତି ।
ପିଲାଙ୍କ ପାଠପଢା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ମାତ୍ର ନିୟମଗିରି ପାଦଦେଶର ଅନେକ ଗାଁରେ ଏଯାଏଁ ସ୍କୁଲ ଘରଟିଏ ତିଆରି ହୋଇପାରି ନାହିଁ । ଯେଉଁଠି ସରକାର ପହଞ୍ଚି ପାରୁନାହାନ୍ତି, ସେଠି ସାନ୍ତନୁ ଅପାଙ୍କ ଭଳି ମହିଳା ମଣିଷ ତିଆରି କରିବାର ନିଶାରେ ଲାଗି ପଡିଛନ୍ତି ।

LEAVE A REPLY

Please enter your comment!
Please enter your name here