ମାର ବୁକୁଫୁଟା କାନ୍ଦ । ଶେଷଥର ପାଇଁ ମୋ ଝିଅକୁ ଟିକେ ଦେଖାଇ ଦିଅ । ଆଖି ଆଗରେ ଝିଅର ଶବ ଦେଖି ମାର ଚେତା ବି ରହୁନି । ବନ୍ଧୁବାନ୍ଧବ, ସଂପର୍କୀୟ ଓ କ୍ରୀଡାପ୍ରେମୀ, ସମସ୍ତଙ୍କ ମନରେ ଦୁଃଖ । ଦୀର୍ଘ୧୧ ଦିନପରେ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ପାର୍ଥିବ ଶରୀର ଓଡିଶାରେ ପହଁଚିବା ପରେ ସମସ୍ତେ ଶୋକାଭିଭୂତ ହୋଇପଡିଥିଲେ । ସକାଳ ସାଢେ ନଟାରେ କଳ୍ପନାଙ୍କ ପାର୍ଥିବ ଶରୀର ବିମାନଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଥିଲା । ବିମାନ ବନ୍ଦରରୁ ଏକ ସୁସଜ୍ଜିତ ଗାଡିରେ କଳ୍ପନାଙ୍କ ପାର୍ଥିବ ଶରୀରକୁ କଳିଙ୍ଗ ଷ୍ଟାଡିୟମକୁ ନିଆଯାଇଥିଲା । ସେଠାରେ କ୍ରୀଡା ମନ୍ତ୍ରୀ, କ୍ରୀଡା ସଚିବଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି କଳ୍ପନାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହା ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପାହାଡରାଣୀଙ୍କ ପାର୍ଥିବ ଶରୀରକୁ ଏକ ଘଣ୍ଟା ପାଇଁ କଳିଙ୍ଗ ଷ୍ଟାଡିୟମରେ ରଖାଯାଇଥିଲା । ଜନସାଧାରଣଙ୍କ ଦର୍ଶନ ପରେ କଳ୍ପନାଙ୍କ ମରଶରୀରକୁ ତାଙ୍କ ପୈତୃକ ଗାଁକୁ ନିଆଯାଇଥିଲା । ସେଠାରୁ ଏକ ଶୋଭାଯାତ୍ରାରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ କରାଯିବ । ଢେଙ୍କାନାଳ ଝିଅ କଳ୍ପନା ଦ୍ୱିତୀୟ ଥର ଏଭରେଷ୍ଟ ବିଜୟ କରି ଫେରିବା ସମୟରେ ଗତ ୨୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ରାଜ୍ୟ ସରକାରଙ୍କ ଉଦ୍ୟମରେ କଳ୍ପନାଙ୍କ ମର ଶରୀରକୁ ଏଭରେଷ୍ଟରୁ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ଜରିଆରେ ତଳକୁ ଅଣାଯାଇଥିଲା । କାଠମାଣ୍ଡୁର ଟିଚିଂ ହସ୍ପିଟାଲରେ କଳ୍ପନାଙ୍କ ମରଶରୀରର ବ୍ୟବଛେଦ ପରେ ଓଡିଶା ଅଭିମୁଖେ ଅଣାଯାଇଥିଲା । କଳ୍ପନାଙ୍କ ବିୟୋଗ କେବଳ ଓଡିଶା ନୁହେଁ, ସମଗ୍ର ଦେଶର ଦୁଃସାହସିକ କ୍ରୀଡା କ୍ଷେତ୍ରରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ପ୍ରଥମ ଓଡିଆ ଝିଅ ଭାବେ ଏଭେରେଷ୍ଟ ଆରୋହଣ କରି କଳ୍ପନା ରାଜ୍ୟର ଯୁବପୀଢିକୁ ନୂଆ ଦିଶା ଦେଖାଇଥିଲେ । କଳ୍ପନାଙ୍କ ସ୍ମୃତିକୁ ଉଜ୍ଜିବୀତ ରଖିବା ପାଇଁ ରାଜ୍ୟ ସଂଗ୍ରାହଳୟରେ ତାଙ୍କର ପୋଷାକକୁ ସଂରକ୍ଷିତ ରଖାଯାଇଛି ।
ଭୁବନେଶ୍ୱରରୁ ପ୍ରତ୍ୟୁଷ ମହାନ୍ତିଙ୍କ ରିପୋର୍ଟ, ତକ୍ଷକ ନ୍ୟୁଜ

LEAVE A REPLY

Please enter your comment!
Please enter your name here