ଆଜି ପବିତ୍ର ଇଦ୍ । ସାରା ରାଜ୍ୟରେ ଆନନ୍ଦ ଉଲ୍ଲାସ ସହ ପାଳିତ ହେଉଛି ଇଦ୍ । ମାସକ ଧରି ରୋଜା ପାଳନ ପରେ ଶେଷ ହୋଇଛି ରମଜାନ ମାସ । ଗତକାଲି ଚାନ୍ଦ ଦେଖିବା ପରେ ଆଜି ଆନନ୍ଦ ଉଲ୍ଲାସର ସହ ଇଦ୍ ପାଳନ କରିଛନ୍ତି ମୁସଲିମ ଭାଇ ଭଉଣୀ । ଇଦ୍ ପାଇଁ ବିଭିନ୍ନ ମସଜିଦ୍ରେ ମୁସିଲିମ ଧର୍ମାଲମ୍ବି ମାନେ ଭିଡ ଲଗାଇଛନ୍ତି । ସମୂହ ନମାଜ ପାଠ କରି ନିଜ ପରିବାର ବର୍ଗଙ୍କ ସହ ଖୁସି ମନାଇଛନ୍ତି । ପରସ୍ପରକୁ ଆଲିଙ୍ଗନ କରି ପବିତ୍ର ଇଦ୍ ର ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଅନୁସାରେ, ଇଦ୍ ମୁସଲମାନ୍ଙ୍କର ଏକ ପବିତ୍ର ପର୍ବ। ପ୍ରାୟତଃ ରମ୍ଜାନର ଶେଷ ଦିନରେ ଏହି ଦିବସଟିକୁ ପାଳନ କରାଯାଏ । ପୃଥିବୀର ବିଭିନ୍ନ ଦେଶରେ ଏହି ପର୍ବ ବିଭିନ୍ନ ଦିନ ଏବଂ ସମୟରେ ପାଳିତ ହୋଇଥାଏ । ମୁସଲିମ୍ ସମ୍ପ୍ରଦାୟର ପୁରୁଷମାନେ ମସଜିଦ୍ ଯାଇ ନମାଜ ପାଠ କରିଥାନ୍ତି। ସମସ୍ତଙ୍କ ଘରେ ବିଭିନ୍ନ କିସମର ମିଠା ଖାଦ୍ୟ ତିଆରି କରଯାଇ ବନ୍ଧୁଙ୍କ ସମେତ ସମ୍ପର୍କୀୟ ଲୋକଙ୍କୁ ନିମନ୍ତ୍ରଣ କରାଯିବାର ବିଧି ରହିଛି। ଛୋଟ ବଡ ସମସ୍ତେ ଗୁରୁଜନଙ୍କଠୁ ଆର୍ଶୀବାଦ ନିଅନ୍ତି। ମୁସଲିମ ସଂପ୍ରଦାୟର ଲୋକଙ୍କ ଘରେ ଅତିଥିଙ୍କ ଭିଡ଼ ଜମେ । ସବୁ ପରିବାର ଏକାଠି ହୋଇ ଇଦ୍ ପାଳନ କରନ୍ତି।













