ଗଛରେ ଟଙ୍ଗା ହୋଇଛି କଡେଇ । ଗଛ ତଳେ ଲୁଗା ଓ ପଲିଥିନ ବାନ୍ଧି ତିଆରି ହୋଇଛି ଘର । ଗଛମୂଳ ସଫା କରି ଚୁଲିଟିଏ ତିଆରି କରିଛନ୍ତି । ଜଙ୍ଗଲରୁ ଶୁଖିଲା କାଠ ଗୋଟେଇ ବଜାରରେ ବିକିବା ପରେ ଯାହା ମିଳୁଛି, ସେଇଥିରେ ଜୀବନ ଜିଉଁଛନ୍ତି । ଏମିତି ପରିବେଶରେ ଗତ ୨୩ ତାରିଖରେ ସେମାନଙ୍କର ଛୁଆଟିଏ ବି ଜନ୍ମ ହୋଇଛି । ଏ ହେଉଛି ମୟୁରଭଞ୍ଜ ଜିଲ୍ଲା ନିଶ୍ଚିନ୍ତା ପଞ୍ଚାୟତ ଅଧିନ ଯୁଆଳିକଟା ଗାଁର ଆଦିବାସୀ ଦମ୍ପତ୍ତି ଚିତନ ମୁର୍ମୁ ଓ ପାର୍ବତୀ ମୁର୍ମୁଙ୍କ କଥା । ମୁର୍ମୁ ଦମ୍ପତ୍ତିଙ୍କୁ କିଛି ମାସ ତଳେ ତାଙ୍କ ପରିବାର ଓ ସଂପର୍କୀୟମାନେ ଡାହାଣୀ ସନ୍ଦେହରେ ଗାଁରୁ ବାହାର କରିଦେଇଥିଲେ । ଏକଥାକୁ ନେଇ ଗାଁରେ ନିଶାପ ବସିଲା । ମାତ୍ର ଗାଁ ନିଶାପରେ ବି ସେହି ଏକା ନିଷ୍ପତ୍ତି । ଚିତନ ଓ ପାର୍ବତି ହେଉଛନ୍ତି ଡାହାଣୀ । ଗାଁ ଘର, ଜମି ଓ ସଂପତ୍ତି ଛାଡି ଗର୍ଭବତୀ ସ୍ତ୍ରୀକୁ ସାଙ୍ଗରେ ଧରି ଚିତନ ଗାଁ ଛାଡିଲା । ଆଶ୍ରା ପାଇଁ ପାଇଁ ଚିତନ ଓ ପାର୍ବତୀ ପହଞ୍ଚିଲେ ମାମୁଁ ଘର ଗାଁ ଦଶୀଶୋଳରେ । ସେଠି ତିନିମାସ ରହିବା ପରେ ମାମୁଁ ଘର ଗାଁ ଲୋକେ ଘଟଣା ସଂପର୍କରେ ଜାଣିଥିଲେ, ଆଉ ଗାଁରୁ ତଡି ଦେଇଥିଲେ । ମାମୁଁ ଘର ଗାଁରୁ ତଡା ଖାଇବା ପରେ ସେମାନେ ପହଞ୍ଚିଥିଲେ ମହିଶାହୁଦା ଗ୍ରାମ୍ୟ ଜଙ୍ଗଲରେ । ମାତ୍ର ଜଙ୍ଗଲରେ ବି ରହିବାକୁ ଦେଇ ନଥିଲେ ବନ କର୍ମଚାରୀ । ସେଠାରୁ ତଡା ଖାଇବା ପରେ ଚୁଆପାଣି ହାଟ ନିକଟ ଶାଶଡାପାଳ ଆମ୍ବ ବଗିଚାରେ ରହିଆସୁଛନ୍ତି ଏହି ଅସହାୟ ମୁର୍ମୁ ଦମ୍ପତ୍ତି । ଗତ ୨୩ ତାରିଖରେ ଛୁଆଟିଏ ବି ଜନ୍ମ ହୋଇଛି । ଗଣମାଧ୍ୟମରେ ଏ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ପ୍ରଶାସନ ପାର୍ବତୀଙ୍କୁ ବାଙ୍ଗିରୀପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ମାତ୍ର ବଞ୍ଚିବା ପାଇଁ ମୁର୍ମୁ ଦମ୍ପତ୍ତିଙ୍କ ଏ ସଂଘର୍ଷର କାହାଣୀ ଆମ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୟୁରଭଞ୍ଜ ଜିଲ୍ଲାରେ ଡାହାଣୀ ସନ୍ଦେହ କରିବା ଭଳି ଅନ୍ଧବିଶ୍ୱାସ କେମିତି ଆସ୍ଥାନ ଜମେଇ ବସିଛି, ଏହା ହେଉଛି ତାର ଏକ ନମୂନା ।

LEAVE A REPLY

Please enter your comment!
Please enter your name here