ବଦଳୁଛି ମାଲକାନଗିରିର ଚିତ୍ର । ବଦଳୁଛି ଲୋକଙ୍କ ମାନସିକତା । ପରିବର୍ତ୍ତନର ଆଭାସ ସ୍ପଷ୍ଟ ବାରିହେଉଛି ସ୍ୱାଭିମାନ ଅଚଂଳ ମାଲକାନାଗିରିରେ । ଦିନେ ଗଞେଇ ଚାଷ ଓ ମାଓବାଦୀଙ୍କ ଭୟ ଲୋକଙ୍କୁ ଆଚ୍ଛନ୍ନ କରି ରଖିଥିଲା । ଏବେ କିନ୍ତୁ ସେ ସମୟ ନାହିଁ । ଲୋକେ ଗଞେଇ ପରିବର୍ତେ ହଳଦୀ ଚାଷ ପ୍ରତି ଆକୃଷ୍ଟ ହେଲେଣି । ମାଲକାନଗିରିର ପ୍ରାକୃତିକ ପରିବେଶ ଓ ସ୍ୱାସ୍ଥ୍ୟକାରୀ ଜଳବାୟୁ ହଳଦୀ ଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ଲୋକେ ହଳଦୀ ଚାଷକୁ ଉପାର୍ଜନର ମାଧ୍ୟମ କରିଦେଲେଣି । ମାତ୍ର ଉପଯୁକ୍ତ ବଜାରର ଅଭାବ ଥିବାରୁ ଚାଷୀଙ୍କୁ ସେମାନଙ୍କ ପରିଶ୍ରମର ପ୍ରାପ୍ୟ ମିଳିପାରୁନାହିଁ । ଫଳରେ କିଲୋପିଛା ୧୦୦ ଟଙ୍କାରେ ବିକ୍ରୀ ହେବା ହଳଦୀକୁ ୪୦ ରୁ ୫୦ ଟଙ୍କାରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି । ପୂର୍ବରୁ ଏହି  ଅଚଂଳର ବେକାର ଯୁବକ ରୋଜଗାର ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ । କିନ୍ତୁ ହଳଦୀ ଚାଷର ସଫଳତା ବେକାର ଯୁବକକୁ ନିଜ ଭିଟାମାଟିରେ ବାନ୍ଧି ରଖିଛି ।  ତେବେ ହଳଦୀ ବିକ୍ରି ପାଇଁ ସରକାର ବଜାର ବ୍ୟବସ୍ଥା ସୃଷ୍ଟି କରିପାରିଲେ ସ୍ୱାଭିମାନ ଅଞ୍ଚଳର ଚାଷୀ ଉପକୃତ ହୋଇପାରନ୍ତେ । ସମଗ୍ର ଦେଶରେ ହଳଦୀ ଚାଷ ପାଇଁ କନ୍ଧମାଳ ଜିଲ୍ଲା ପ୍ରସିଦ୍ଧି ଲାଭ କରିଥିବା ବେଳେ ଏବେ ମାଲକାନଗିରି ଜିଲ୍ଲାରେ ହଳଦୀ ଚାଷକୁ ନେଇ ଉତ୍ସାହ କୃଷି  କ୍ଷେତ୍ରରେ ଆଉ ଏକ ସଫଳତାର ଅଧ୍ୟାୟ ଯୋଡିବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here