ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିଥିଲେ । ଅଭିଭାଷଣରେ ରାଜ୍ୟପାଳ ଦିବଙ୍ଗତ ପୂର୍ବତନ ସାଂସଦ ,ବିଧାୟକ ଓ ସହିଦଙ୍କ ଉଦେ୍ଦଶ୍ୟରେ ଶୋକ ପ୍ରକାଶ କରିଥିଲେ । ଏହା ପରେ ରାଜ୍ୟପାଳ ରାଜ୍ୟ ସରକାରଙ୍କ ସଫଳତାର ଗାଥା ବଖାଣିବା ସହ ରାଜ୍ୟ ସରକରଙ୍କୁ ଫନିର ସଫଳ ମୁକାବିଲା ପାଇଁ ସାବାସୀ ଦେଇଥିଲେ । ଓଡିଶାର ଦ୍ୱୈତ ନଗରୀ ଭୁବନେଶ୍ୱରରୁ କଟକକୁ ଆଗାମୀ ଦିନରେ ମେଟ୍ରୋ ଟ୍ରେନ୍ ଦ୍ୱାରା ଯୋଡିବାକୁ ଉଦ୍ୟମ କରାଯିବ ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି । ହଜାରେ ବର୍ଷର ପୁରୁଣା ସହର କଟକକୁ ଐତିହ୍ୟ ସହରରେ ପରିଣତ କରିବା , ଶ୍ରୀ କ୍ଷେତ୍ର ପୁରୀକୁ ଏକ ବିଶ୍ୱ ଐତିହ୍ୟ ନଗରୀ ରୂପେ ପରିଣତ କରିବା ଏବଂ ୫ ଟି ମୁ୍ୟନିସପାଲ କର୍ପୋରେସନକୁ ସ୍ମାର୍ଟ ସିଟି ପାଇଁ ସରକାର ଉଦ୍ୟମ କରୁଥିବା କଥା ରାଜ୍ୟପାଳ କହିଛନ୍ତି । ଲୋକଙ୍କ ଭରସା ଓ ବିଶ୍ୱାସକୁ ବଜାୟ ରଖିବାପାଇଁ ଆମ ସରକାର ସଂକଳ୍ଳବଦ୍ଧ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ । ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ସରକାର ଗଠନର ପ୍ରଥମ ଦିନରୁ ହିଁ ଆରମ୍ଭ କରିଦେଇ ଥିଲେ । କାଳିଆ ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କୁ ସାମିଲ କରାଯାଇ ଥିଲା ,ମିଶନ ଶକ୍ତି ମହିଳା ଗୋଷ୍ଠିଙ୍କୁ ୫ ହଜାର କୋଟିର କାମ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା ରାଶି ବୃଦ୍ଧି । ମହିଳାଙ୍କୁ ସ୍ୱାସ୍ଥ୍ୟ ସେବାପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା ରାଶି ୭ ଲକ୍ଷରୁ ୧୦ ଲକ୍ଷ ବୃଦ୍ଧି କରିବା ରାଜ୍ୟ ସରକାରଙ୍କ ରାଜ୍ୟର ବିକାଶରେ ସହାୟକ ହେବ ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣ ରେ କହିଥିଲେ ।

LEAVE A REPLY

Please enter your comment!
Please enter your name here