ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳ ଏହାର କାରଣ ଖୋଜାରେ ଲାଗିପଡିଥିବା ବେଳେ, ଦିନ ଗଡ଼ିବା ସହ ଦଳୀୟ କନ୍ଦଳ ଏବେ ରାସ୍ତାରେ ଗଡ଼ିଲାଣି | ପରସ୍ପର ଉପରକୁ କାଦୁଅ ଛଟା ଛଟି ହେବାରେ ଲାଗୁଛନ୍ତି | ସେପଟେ ଦଳର ଶୋଚନୀୟ ପରାଜୟର ସମସ୍ତ ଭାର ନିଜ କାନ୍ଧ ଉପରକୁ ନେଇ ଦଳର ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ ରାହୁଲ | ଅପରପକ୍ଷେ ଅନ୍ୟ ରାଜ୍ୟ ଗୁଡିକରରୁ ମଧ୍ୟ ସମାନ ପ୍ରତିଛବି ଦେଖିବାକୁ ମିଳିଥିଲା | ଏବେ ଦଳ ନିଜ କର୍ମୀ ମାନଙ୍କୁ ଏକତ୍ରିତ କରି ପୁଣି ଥରେ ଅଣ୍ଟା ସଲଖି ହୋଇ ଛିଡା ହେବାକୁ ପ୍ରୟାସ ଜାରି ରଖିଥିବା ବେଳେ ଓଡ଼ିଶାରେ କଂଗ୍ରେସର ଆଉ ଏକ ନାଟକ ଦେଖିବାକୁ ମିଳିଲାଣି | ଆଜି ନୂଆଦିଲ୍ଲୀରେ ଏଆଇସିସି ବୈଠକ ଚାଲିଥିବା ବେଳେ ଏପଟେ ରାଜ୍ୟ କଂଗ୍ରେସରେ ଉଠିଛି ବିଦ୍ରୋହର ସ୍ୱର । ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନ । ତାଙ୍କ ପୁଅକୁ ନିର୍ବାଚନରେ ପ୍ରାର୍ଥୀ କରିବା ହେଉ କିମ୍ବା ଅନଭିଜ୍ଞ ଲୋକଙ୍କୁ ପ୍ରାର୍ଥୀ କରିବା । ନିରଞ୍ଜନ ନିଜର ବ୍ୟବସାୟକୁ ବଢ଼ାଇବା ଓ ପୁଅକୁ ମଣିଷ କରିବାକୁ ଚକ୍ରାନ୍ତ କରିଥିଲେ । ଏପରିକି ନିଜ ଭାଇ ସହ ମିଶି ସମସ୍ତ ନାଟକ କରିଥିବା କହିଛନ୍ତି ଇତିଶ ପ୍ରଧାନ । ଏବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଚରିତ୍ର ଉପରୁ ପରଦା ଉଠାଇବା ସହ ତାଙ୍କ ନିଦ ହଜାଇ ଦେବାର ସମୟ ଆସିଯାଇଥିବା କହିଛନ୍ତି ଇତିଶ ।
ସୂଚନାଯୋଗ୍ୟ, ଇତିଶ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ ଡାକି ପିସିସି ସଭାପତିଙ୍କ ଉପରେ ସିଧା ଅଙ୍ଗୁଟି ଉଠାଇଛନ୍ତି | ଅମର ପ୍ରଧାନଙ୍କ ‘ଖଳନାୟକ’ ମନ୍ତବ୍ୟରେ ତାଳ ଦେଇଛନ୍ତି ଇତିଶ । ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଭାଇ ସୌମ୍ୟରଞ୍ଜନ ମିଶି କଂଗ୍ରେସ ଦଳକୁ ହରାଇଛନ୍ତି । ଭାଇ ମଧ୍ୟସ୍ଥି କରାଇ ଦଳକୁ ବିକ୍ରି କରିଦେଇଛନ୍ତି । ସେହିପରି ନିରଞ୍ଜନ କେବଳ ନିଜର ବ୍ୟବସାୟକୁ ବଢ଼ାଇବା ପାଇଁ ଏବଂ ପୁଅକୁ ମଣିଷ କରିବାକୁ ସେ ଚକ୍ରାନ୍ତ କରିଥିଲେ । ଯାହାକୁ କଦାପି ସହ୍ୟ କରାଯିବ । ନିରଞ୍ଜନଙ୍କ ଏ ଚକ୍ରାନ୍ତ ବିଷୟରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟରେ ଫେରାଦ ଦିଆଯିବ । ତାଙ୍କ ସଭାପତି ପଦରୁ ହଟାଇବାକୁ ଜୋର ଦାର ଦାବି କରାଯିବ ବୋଲି ଇତିଶ କହିଛନ୍ତି |ସେହିପରି ସେ ଏବେ ଓଡ଼ିଶାରେ ନାହାଁନ୍ତି । ବାହାରୁ ଫେରିଲା ପରେ ତାଙ୍କୁ ଓଡ଼ିଶା ଭିତରେ ପୁରାଇ ଦିଆଯିବ ନାହିଁ । ତାଙ୍କ ବିରୋଧରେ ଆନ୍ଦୋଳନ କରାଯିବ ଏବଂ ତାଙ୍କୁ କୌଣସି କାମ କରାଇ ଦିଆଯିବ ନାହିଁ ବୋଲି ଇତିଶ ଚେତାବନୀ ଦେଇଛନ୍ତି । ସେପଟେ ରାଜ୍ୟ ବାହାରେ ଥିବା ନିରଞ୍ଜନ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ଏଆଇସିସି ବୈଠକରେ ସାମିଲ ହୋଇ ନାହାଁନ୍ତି । କି ଏହି ଅଭିଯୋଗ ସଂକ୍ରାନ୍ତରେ ତାଙ୍କ ଠାରୁ କିଛି ବି ପ୍ରତିକ୍ରିୟା ମିଳିପାରି ନାହିଁ |

LEAVE A REPLY

Please enter your comment!
Please enter your name here