କେବେ ସୁଧିରିବ ଉପାନ୍ତ ଅଞ୍ଚଳର ଲୋକଙ୍କ ଭାଗ୍ୟ । ସ୍ୱାଧିନତାର ୭୧ ବର୍ଷ ପରେ ବି ଏମିତି କିଛି ଅଞ୍ଚଳ ଅଛି, ଯେଉଁଠି କି ସରକାରୀ ଯୋଜନା ସ୍ୱପ୍ନ । ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ସଡକ ସେବାରୁ ବଞ୍ଚିତ ହେଉଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଗୁଣ୍ଡାଲଗୁଡା ଗାଁ ଲୋକେ । ଏବେ ଗାଁକୁ ସଂଯୋଗ କରୁଥିବା ରାସ୍ତାର ଦୟନୀୟ ଅବସ୍ଥା କହିଲେ ନସରେ । ତେବେ ଏମିତି ଏକ ଦୃଶ୍ୟ ଆମ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଗାଁର ମାଗୁ ଦୁରୁଆ ନାମକ ଜଣେ ବ୍ୟକ୍ତିଙ୍କୁ ଭୀଷଣ ଜ୍ୱର ହୋଇଥିିଲା । ତେବେ ଗାଁରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବା ଗମନାଗମନର ସୁବିଧା ନଥିବାରୁ ବାଧ୍ୟ ହୋଇ ପରିବାର ଲୋକେ ନିକଟରେ ଥିବା ଏକ ଦିଶାରୀଙ୍କ ଶରଶାପନ୍ନ ହୋଇଥିଲେ । ଦିନକୁ ଦିନ ମାଗୁଙ୍କ ଦେହ ଅଧିକ ଖରାପ ହେବାରୁ ଅନ୍ୟ ଉପାୟ ନପାଇ ପରିବାର ଲୋକେ ଗ୍ରାମବାସୀଙ୍କୁ ଜଣାଇଥିଲେ । ପରେ ଗାଁର ମୂଖିଆମାନେ ଯୁବକଙ୍କୁ ଖଟିଆରେ ସ୍ୱାସ୍ଥ୍ୟକେନ୍ଦ୍ର ନେବାକୁ ନିଷ୍ପତ୍ତି ନେଇଥିଲେ । ଲଗାଣ ବର୍ଷା ସତ୍ତ୍ୱେ ସମସ୍ତେ ବର୍ଷାରେ ଓଦା ହୋଇ ଯୁବକଙ୍କୁ ଛତା ଘୋଡାଇ ଖଟିଆରେ ଆଣିଥିବା ଦେଖିବାକୁ ମିଳିଥିଲା । ପରେ କିଆଙ୍ଗସ୍ଥିତ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୁବକଙ୍କୁ ଭର୍ତ୍ତି କରିଥିଲେ । ପ୍ରାୟ ୧୩ କିମି ଦୂର ଖଟିଆରେ ବୋହି ଆଣି ଗ୍ରାମବାସୀ ଯୁବକଙ୍କ ପ୍ରାଣ ବଞ୍ଚାଇଥିଲେ । ତେବେ ଆକ୍ରାନ୍ତ ଯୁବକଙ୍କୁ ଦୁର୍ଗମ ଗାଁରୁ ବାହାର କରି ଖଟିଆରେ ଗ୍ରାମବାସୀମାନେ ବୋହି ଆଣି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ଘଟଣା ବେଶ୍ ପ୍ରଶଂସନୀୟ. ମାତ୍ର ଏମିତି ଉପାନ୍ତ ଇଲାକାର ଲୋକଙ୍କ ଭାଗ୍ୟ କେବେ ବଦଳିବ, ସରକାର କହିବେ କି ?