ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଧାୟକଙ୍କୁ କଂଗ୍ରେସ ନିଲମ୍ବିତ କରିଥିବା ବେଳେ ବିଜେଡି କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ହେଲେ ବିଜେଡିର କିଛି ବିଧାୟକ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ କଥା ବି ମାନୁ ନାହାନ୍ତି । ରାଜ୍ୟସଭା ନିର୍ବାଚନକୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଁ ଯାହା କହିଥିଲି ସତ କହିଥିଲି ବୋଲି ସେ କହିଛନ୍ତି ।ପ୍ରଭାତ ବିଶ୍ୱାଳ କହିଛନ୍ତି, ରାଜ୍ୟ ବାହାରେ ଟ୍ରଷ୍ଟ ଗଠନ କଥା ମାନିଛନ୍ତି ନବୀନ ପଟ୍ଟନାୟକ । ପୂର୍ବରୁ ୪୦ ବିଧାୟକଙ୍କ ଆଗରେ ପଚାରିବାରୁ ସଂତୃପ୍ତ ମିଶ୍ର ମନା କରିଥିଲେ । ନବୀନ ମାନିବା ପରେ ଆଜି ସବୁ ସତ କଥା ପଦାକୁ ଆସିଛି । ଗଠନ ହୋଇଥିବା ବିଜୁ ଟ୍ରଷ୍ଟର ମୁଖ୍ୟ ଭିକେ ପାଣ୍ଡିଆନ ରହିଛନ୍ତି । ରାଜନୀତିରୁ ସନ୍ନ୍ୟାସ ନେବା ପରେ ବି ପାଣ୍ଡିଆନ ସବୁ କିଛି କରୁଛନ୍ତି । ପୂର୍ବରୁ ପ୍ୟାରୀ ବାବୁ ସବୁ କରୁଥିଲେ ଏବଂ ନବୀନ କେବଳ ଦସ୍ତଖତ କରୁଥିଲେ । ପରେ ପାଣ୍ଡିଆନ ସବୁ କିଛି କଲେ ନବୀନ ବାବୁ ଖାଲି ଦସ୍ତଖତ ମାରିଲେ । ଆଜି ବି ଦିଲ୍ଲୀରେ ରହି ପାଣ୍ଡିଆନ୍ ଗୋଟି ଚାଳନା କରୁଛନ୍ତି । ନାମକୁ ମାତ୍ର ସେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି । ପାର୍ଟିର ବରିଷ୍ଠ ନେତାଙ୍କୁ ଅଣଦେଖା କରି ପାଣ୍ଡିଆନଙ୍କ ଇସାରାରେ ନବୀନ ସବୁ କାମ କରୁଥିବା ସେ ଅଭିଯୋଗ କରିଥିଲେ । ସେ ମିଡିଆ ସାମ୍ନାରେ ଖୋଲାଖୋଲି ବିଜେଡିର କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନ ଉଠାଇଥିଲେ । ଏହା ପରେ ଦଳ ତାଙ୍କୁ ପାର୍ଟି ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରିଥିଲା ।ନିକଟରେ ସଂପନ୍ନ ରାଜ୍ୟସଭା ନିର୍ବାଚନରେ ତାଙ୍କ ପୁଅ ସୌଭିକ ବିଶ୍ୱାଳ ଦଳୀୟ ହ୍ୱିପକୁ ଅବମାନନା କରି କ୍ରସ ଭୋଟିଂ କରି ସେ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ ଓ ଭୋଟ୍ ଦେବା ପରେ ସେ ମିଡିଆ ସାମ୍ନାରେ ନିଜ ବାପା ପ୍ରଭାତ ବିଶ୍ୱାଳଙ୍କ ଅପମାନର ପ୍ରତିଶୋଧ ନେଇଥିବା କହିଥିଲେ ।

LEAVE A REPLY

Please enter your comment!
Please enter your name here