ପୁଣି ଜଣେ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ଜଣେ ଡାକ୍ତର | ୫ କିଲୋମିଟର ରୋଗୀକୁ ଭାରରେ ବୋହିଲେ ଡାକ୍ତର | ଦୁର୍ଗମ ଅଂଚଳ ବୋଲି ଗାଁ ମଧ୍ୟଙ୍କୁ ଯାଇପାରିଲାନି ଆମ୍ବୁଲାନ୍ସ । ଫଳରେ ଉଭୟ ଡାକ୍ତର ଏବଂ ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କୁ ଭାର ସାହାଯ୍ୟରେ ୫ କିଲୋମିଟର ବୋହି ଆଣିଥିଲେ | ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଡ଼ଡୁରାଲ ପଞ୍ଚୟତର ନୂଆଗୁଡା ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ | ରୋଗ ଶଯ୍ୟାରେ ପଡିଥିବା ୧୨ ବର୍ଷିୟ ନାବାଳକକୁ ଭାରରେ ବୋହି ଦୁର୍ଗମ ଗଡରୁ ପାର କରାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଡ୍ରାଇଭର ଏବଂ ଡାକ୍ତର । ନୂଆଗୁଡା ଗାଁର ଜଣେ ରୋଗୀ ଭୀଷଣ ଜ୍ୱରରେ ପୀଡିତ ଥିବା ବେଳେ ତାଙ୍କ ଦେହ ଫୁଲିଯାଉଥିଲା । ଏନେଇ ଆମ୍ବୁଲାନ୍ସ ସହ ଯୋଗ କରିଥିଲେ ପରିବାର ଲୋକେ, ମାତ୍ର ଗାଁ ମଧ୍ୟ ଙ୍କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇପାରିନଥିଲା । ଆମ୍ବୁଲାନ୍ସଟି ଗାଁଠାରୁ ପାଖାପାଖି ୫ କିମି ଦୂରରେ ଅଟକି ରହିଥିଲା । ପରେ ସ୍ୱେଚ୍ଛାସେବୀ ସଂସ୍ଥାର ଡାକ୍ତର ଶକ୍ତି ପ୍ରସାଦ ମିଶ୍ର ଓ ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କ ପାଖକୁ ଯାଇଥିଲେ । ଆଉ ରୋଗୀଟିକୁ ଭାରରେ ନୂଆଗୁଡା ଗାଁରୁ ବେଲବାଡି ଯାଏଁ ୫ କିଲୋମିଟର ଯାଏଁ ବୋହି ଆଣିଥିଲେ । ପରେ ବେଲବାଡ଼ି ରୁ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ମାଲକାନଗିରି ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା ।