ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ପୂରା ଦେଶରେ ଆଜି ଉତ୍ସବର ମାହୋଲ | ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳକାରଖାନା | ବହୁ ଧୁମ ଧାମରେ ଚାଲିଛି ବିଶ୍ୱକର୍ମାଙ୍କ ପୂଜା | ବିଭିନ୍ନ ପୂଜା କମିଟି ପକ୍ଷରୁ ପୂଜା ସଂପନ୍ନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି | ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ରଙ୍ଗ ବିରଙ୍ଗ ଆଲୋକ ମାଳ ସହ ସୁସଜ୍ଜିତ ହୋଇଛି ପୂଜା ପେଣ୍ଡାଲ | ଅନୁଗୋଳ, ରାଉରକେଲା ଏବଂ ବନ୍ଦର ନଗରୀ ପାରାଦୀପରେ ଧୁମାଧାମରେ ପାଳିତ ହେବ ଏହି ପୂଜା | ସେହିପରି ଅନୁଗୋଳ ନାଲକୋ ନଗରରେ ଚଳିତବର୍ଷ ୨୩ଟି ପୂଜା ମଣ୍ଡପରେ ଦେବଶିଳ୍ପୀଙ୍କୁ ଆରାଧନା କରାଯାଉଛି | ଅନୁଗୋଳରେ ମାହେସ୍ମତୀ ପ୍ୟାଲେସ୍, ପ୍ରକୃତିପ୍ରେମୀ ତୋରଣ ସହ ରାଜପ୍ରସାଦ ଡିଜାଇନ୍ ତୋରଣ ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ସେହିପରି ରାଉରକେଲାରେ ଛେଣ୍ଡ, ବାସନ୍ତୀ କଲୋନୀ, ସିଭିଲ ଟାଉନସିପ୍ , ଉଦିତ୍ ନଗର କୋଏଲ ନଗର ଷ୍ଟିଲପ୍ଲାଣ୍ଟ ଏବଂ ବନ୍ଧମୁଣ୍ଡା ଆଦି ୪୦ଟିରୁ ଅଧିକ ସ୍ଥାନରେ ବିଶ୍ୱ ବିନ୍ଧାଣୀଙ୍କ ଆବାହନ ପାଇଁ ଆୟୋଜନ କରାଯାଇଛି |
ଶିଳ୍ପ ଓ କାରଖାନା ଜଗତର ମୁଖ୍ୟ ବିନ୍ଧାଣି ଭଗବାନ ବିଶ୍ୱକର୍ମା | ପୌରାଣିକରେ ମଧ୍ୟ ବିଶ୍ୱକର୍ମାଙ୍କ କୃପାରୁ ପୂରା ବିଶ୍ୱର ସୃଷ୍ଟି ହୋଇଥିବା କୁହାଯାଏ | ପୌରାଣିକ କଥା ଅନୁଯାୟୀ, ପୁରାଣ କାଳରେ ଦେବତାଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ମହଲ ନିର୍ମାଣ କରୁଥିଲେ ବିଶ୍ୱକର୍ମା । ତେଣୁ ବିଶ୍ୱକର୍ମାଙ୍କୁ ଶିଳ୍ପୀ ମାନଙ୍କର ଦେବତା ବୋଲି ବିବେଚନା କରାଯାଏ । ଏପରିକି ଲଙ୍କାପତି ରାବଣର ସୁନାର ଲଙ୍କା, ଦେବାଦେବୀଙ୍କ ନିମନ୍ତେ ପୁଷ୍ପକ ବିମାନ, ଇନ୍ଦ୍ରଙ୍କ ବଜ୍ର, ଭଗବାନ ଶିବଙ୍କ ପାଇଁ ତ୍ରିଶୁଳ ଓ ପାଣ୍ଡବଙ୍କ ରହିବା ପାଇଁ ଇନ୍ଦ୍ରପ୍ରସ୍ଥ ନଗର ବିଶ୍ୱକର୍ମାଙ୍କ ଆର୍ଶୀବାଦରୁ ସୃଷ୍ଟି । ଏସବୁ ବାଦ୍ ଭଗବାନ କୃର୍ଷ୍ଣଙ୍କ ପାଇଁ ଦ୍ୱାରିକା ନଗରୀର ସ୍ଥାପନା କରିଥିଲେ ବିଶ୍ୱକର୍ମା ।

LEAVE A REPLY

Please enter your comment!
Please enter your name here