ଜୀବନ ଯନ୍ତ୍ରଣାରେ ବିତିଗଲା ୧୩ ବର୍ଷ । ପ୍ରତି ମୂହୁର୍ତ୍ତରେ ଛଟପଟ ହେଉଥିଲେ ଚମ୍ପା । କେବଳ ବାଲୁ ବାଲୁ ହୋଇ ଚାହୁଁଛନ୍ତି ସମସ୍ତଙ୍କୁ । ପାହାଡ ଭଳି ଲଦି ହୋଇ ରହିଛି ଦୁଃଖ, ଭିତରେ ଅସହ୍ୟ ଯନ୍ତ୍ରଣା । ଯିଏବି ଶୁଣିବ, ସିଏ ଧର୍ଯ୍ୟହରା ହୋଇଯିବ । ଆମେ କହୁଛୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସର୍ଗିଗୁଡା ଗାଁର ଚମ୍ପା କାଲାକୁରା କଥା । ଅଜଣା ରୋଗରେ ଆକ୍ରାନ୍ତ ହେଲା ପରଠୁ କାମ କରୁନି ହାତ , ଗୋଡ । ୧୩ ବର୍ଷ ହେଲାଣୀ ଶର୍ଯ୍ୟାଶାୟୀ । ଆଉ ଧର୍ଯ୍ୟ ନାହିଁ ଚମ୍ପାର, ଜୀବନରୁ ମୋହ ତୁଟିବା ପରେ ଇଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଚମ୍ପା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏବେ ଚେଇଁଛି ଜିଲ୍ଲା ପ୍ରଶାସନ । ଚମ୍ପାକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଧିକ ଚିକିତ୍ସା ଦରକାର ହେଲେ କଟକ ଏସସିବି କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ସବୁ ଖର୍ଚ୍ଚ ବହନ କରିବ ପ୍ରଶାସନ । ଚମ୍ପାଙ୍କ ଚିକିତ୍ସା ଦାୟିତ୍ୱ ଜିଲ୍ଲା ପ୍ରଶାସନ ନେବାପରେ ପରିବାର ଲୋକଙ୍କ ମନରେ ଆଶା ସଞ୍ଚାର ହୋଇଛି । ଚମ୍ପା ମନରେ ବି ପୁଣି ନୂଆ ସ୍ୱପ୍ନ ଉଙ୍କି ମାରିଛି ।