ବିଶ୍ୱ ଐତିହ୍ୟ ଅର୍କକ୍ଷେତ୍ର କୋଣାର୍କ । ଯେଉଁଠି ଓଡିଆ ଶିଳ୍ପୀର କାରୁକାର୍ଯ୍ୟରେ ପଥର ସବୁ କଥା କୁହନ୍ତି । ବିବିଧ ଭଙ୍ଗୀରେ ପ୍ରସ୍ତର ଗାତ୍ରରେ ଥିବା ନୃତ୍ୟରତା ନର୍ତ୍ତକୀଙ୍କ ଘୁଙ୍ଗୁର ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା କୋଣାର୍କ । ମନେ ହେଉଥିଲା କୋଣାର୍କ ପ୍ରସ୍ତରର ନର୍ତ୍ତକୀ ସବୁ ଯେମିତି ଜୀବନ୍ତ ହୋଇ ଓହ୍ଲାଇ ଆସିଛନ୍ତି ମୁକ୍ତାକାଶ ରଙ୍ଗମଂଚକୁ । ଅବସର ଥିଲା ୩୦ ତମ କୋଣାର୍କ ମହୋତ୍ସବ ।
ପ୍ରଥମ ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍ କୋଣାର୍କ ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ଉଦଘାଟନ ପର୍ବ ପରେ ଆରମ୍ଭ ହୋଇଥିଲା ଓଡିଶୀ ନୃତ୍ୟ । ପଣ୍ଡିତ ନିତ୍ୟାନଂଦ ମିଶ୍ରଙ୍କ ରଚନାରେ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ସୃଜନର କଳାକାରମାନେ ପରିବେଷଣ କରିଥିଲେ ଓଡିଶୀ ନୃତ୍ୟ ।
ଓଡିଶୀ ପରେ କୋଲକାତାରୁ ଆସିଥିବା କଳାକାରମାନେ ପରିବେଷଣ କରିଥିଲେ କଥକ ନୃତ୍ୟ । ଓଡିଶୀ ଓ କଥକ ଶିଳ୍ପୀଙ୍କ ନୃତ୍ୟ କୋଣାର୍କରେ ଶୀତୁଆ ସନ୍ଧ୍ୟାକୁ ବେଶ୍ ମନୋରମ କରିଦେଇଥିଲା ।
କୋଣାର୍କ ମହୋତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମି ବି ଶିଳ୍ପୀଙ୍କ ବାଲୁକା କଳାରେ ମନ ମୋହୁଥିଲା । ଚନ୍ଦ୍ରଭାଗା ବେଳାଭୂମୀରେ ଅଷ୍ଟମ ଅନ୍ତର୍ଜାତିକ ବାଲୁକା କଳା ଉତ୍ସବକୁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଥିଲେ ।
କୋଣାର୍କ ମହୋତ୍ସବ ପାଇଁ ବିଭିନ୍ନ ଆଲୋକମାଳାରେ ସଜେଇ ହୋଇଛି କୋଣାର୍କ । ଶାସ୍ତ୍ରୀୟ ନୃତ୍ୟର ନୂପୁର ନିକ୍ୱଣକୁ ମନଭରି ଉପଭୋଗ କରିବା ପାଇଁ କେବଳ ରାଜ୍ୟ ନୁହେଁ, ବହୁ ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ହୋଇଛି କୋଣାର୍କରେ ।