ବଡବିଲ ଆର୍ଟ ପ୍ରୋଜେକ୍ଟର ଚତୁର୍ଥ ସଂସ୍କରଣ ମୁଭିଙ୍ଗ ଇନଟୁ ଦି ମାର୍ଜିନ ଭାରତର ବିଭିନ୍ନ ପ୍ରାନ୍ତରର ଦଶ ଜଣ ଚିତ୍ରଶିଳ୍ପୀଙ୍କୁ ନେଇ ଡିସେମ୍ବର ୬ ତାରିଖରେ ଆରମ୍ଭ ହୋଇ ନଅ ତାରିଖରେ ଶେଷ ହୋଇଯାଇଛି । ଉତ୍ସ ଫାଉଣ୍ଡେସନ, ଭୁବନେଶ୍ୱର ଓ ଆର୍ଯ୍ୟ ଆଇରନ ଷ୍ଟିଲ କମ୍ପାନୀ ତରଫରୁ ପ୍ରତି ଦୁଇ ବର୍ଷରେ ଆର୍ଯ୍ୟ କଲୋନୀ ବଡବିଲରେ ଆୟୋଜନ କରାଯାଉଥିବା କଳା ପ୍ରକଳ୍ପର ଚତୁର୍ଥ ସଂସ୍କରଣକୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କଳା ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ, ପ୍ରଫେସର ପ୍ରଦୋଷ ମିଶ୍ର କ୍ୟୁରେଟ କରୁଥିଲେ । ଚିତ୍ରଶିଳ୍ପୀ ଉମେଶ ସିଂ, ରାଜେଶ କୁମାର ସିଂ, ସୁରେଶ କେ. ନାୟାର , ପ୍ରଣତି ପଣ୍ଡା, ଅଙ୍କିତା କାଶ୍ୟପ, ଅର୍ଚ୍ଚନା ଦାସ, ବିଭୁ ପଟ୍ଟନାୟକ , ତ୍ରିନାଥ ମହାନ୍ତି, ବି.ଅଜୟ ଶର୍ମା ଓ ସିତିକାନ୍ତ ସାମନ୍ତସିଂହାର ମୁଖ୍ୟ ସହର ଠାରୁ ଦୂରରେ ଆୟୋଜିତ ଏହି ଅଭିନବ କଳା ପ୍ରକଳ୍ପରେ ଯୋଗ ଦେଇ ସ୍ଥାନୀୟ ଅଧିବାସୀ ମାନଙ୍କ ସଂସ୍କୃତି , ଚଳଣି , ଚିନ୍ତାଧାରା ଓ ମନସ୍ଥିତିକୁ ଫଟୋଗ୍ରାଫି, ଭିଡିଓଗ୍ରାଫି, ଇନଷ୍ଟଲେସନ, ପରଫରମାନ୍ସ, ଚିତ୍ର, ବର୍ଜ୍ୟବସ୍ତୁକୁ ନେଇ ସ୍ଥାପତ ନିର୍ମାଣ ଆଦି ଭିନ୍ନ ଭିନ୍ନ ମାଧ୍ୟମରେ ନିଜ ନିଜର କଳାତ୍ମକ ସୃଷ୍ଟିକୁ ପରିପ୍ରକାଶ କରିଥିଲେ କଳାକାର ମାନେ ରଘୁରାଜପୁରର ପାରମ୍ପରିକ ଚିତ୍ରଶିଳ୍ପୀ ମାନଙ୍କ ସହ ମିଶି ମଧ୍ୟ କଳା ସୃଷ୍ଟି କରିଥିଲେ ।
ପ୍ରୋଜେକ୍ଟରରେ ପ୍ରାରମ୍ଭିକ ରୂପରେଖ ଓ କାର୍ଯ୍ୟ ପ୍ରଣାଳୀ ମଧ୍ୟରେ କଳାକାର ମାନଙ୍କର ବିବିଧ ପରୀକ୍ଷା ନିରୀକ୍ଷାକୁ ଉପସ୍ଥିତ ବୁଦ୍ଧିଜୀବି ମାନଙ୍କ ସାମ୍ନାରେ ପ୍ରୋଜେକ୍ଟ କ୍ୟୁରେଟର ପ୍ରଦୋଷ କୁମାର ମିଶ୍ର ଉପସ୍ଥାପନା କରିଥିଲେ । ବଡବିଲ ପରି ଏକ ଖଣି ଅଂଚଳରେ ଭାରତର ବିଭିନ୍ନ ପ୍ରାନ୍ତରୁ ଯୋଗଦାନ କରିଥିବା ପ୍ରମୁଖ ଯୁବ ଓ ପ୍ରବୀଣ ଚିତ୍ରଶିଳ୍ପୀମାନେ ସେମାନଙ୍କର ସାତ ଦିନର କଳାଯାତ୍ରାର ଅନୁଭୂତି ମଧ୍ୟ ବଖାଣିଥିଲେ । ଉତ୍ସବରେ ଉତ୍ସ ଫାଉଣ୍ଡେସନର ଚେୟାରମାନ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ଜଗନ୍ନାଥ ପଣ୍ଡା, ପ୍ରକଳ୍ପ ସଂଯୋଜକ ରମାକାନ୍ତ ସାମନ୍ତରାୟ, ଆର୍ଯ୍ୟ ଗ୍ରୁପ ଅଫ୍ ଆଇରନର ବିଭିନ୍ନ ଉଚ୍ଚ ପଦସ୍ଥ କର୍ମକର୍ତା , ଭୁବନେଶ୍ୱରର ବିଶିଷ୍ଟ ଚିତ୍ରଶିଳ୍ପୀ, ସାହିତ୍ୟିକ ଓ ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ ।














