ବରଗଡରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏହାକୁ ଉଦଘାଟନ କରିଛନ୍ତି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀ ଏବଂ ବିଧାୟକ ଦେବେଶ ଆଚାର୍ଯ୍ୟ । ପରମ୍ପରା ଅନୁସାରେ ଅପରାହ୍ନରେ ଗାନ୍ଧୀ ଛକରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସଂନ୍ଧ୍ୟା ୬ଟାରେ ସମଲେଶ୍ୱରୀ ମନ୍ଦିରରେ ପହଁଞ୍ଚିଥିଲା । ୧୧ ଦିନ ଧରି ବରଗଡରେ ଚାଲିବ ମହାରାଜା କଂସଙ୍କ ରାଜୁତି । ଧନୁଯାତ୍ରା ସମସ୍ତଙ୍କୁ ଫେରାଇ ନେବ ଦ୍ୱାପର ଯୁଗକୁ । ସେଥିପାଇଁ ବରଗଡ ପାଲଟିଯାଇଛି ମଥୁରାନଗରୀ , ଅମ୍ବାପାଲୀ ପାଲଟିଛି ଗୋପପୁର । ପ୍ରଥମ ସଂନ୍ଧ୍ୟାରେ ମହାରାଜ ଉଗ୍ରେସନ ରାଜକୀୟ ଆଡମ୍ବର ସହିତ ଦେବକୀ ଓ ବସୁଦେବଙ୍କର ବିବାହ କରେଇଛନ୍ତି । ଏପେଟେ ଯୁବରାଜ କଂସଙ୍କର ଦୌରାତ୍ମ୍ୟ ବଢିବାରେ ଲାଗିଛି । ଯୁବରାଜ କଂସ ଋଷିଙ୍କଠାରୁ ଅଭିଶାପ ପାଇବା ସହିତ ତାଙ୍କ ଆଶ୍ରମରେ ନିଆଁ ଲଗାଇଦେଇଛନ୍ତି। ଦେବକୀ , ବସୁଦେବଙ୍କ ବିବାହକୁ ନେଇ ସାରା ମଥୁରା ନଗରି ଉତ୍ସବ ମୁଖର ହୋଇପଡିଥିବାବେଳେ ମୃଗୟାରୁ ଫେରି ଆସିଛନ୍ତି ମହାରାଜା କଂସ । ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀର ବିବାହ ହୋଇଯାଇଥିବାରୁ ଦୁଃଖରେ ଭାଙ୍ଗିପଡିଛନ୍ତି । ତା ପରେ ମଧ୍ୟ ଭଉଣୀ ଦେବକୀଙ୍କୁ ଶାଶୂ ଘରେ ଛାଡିଦେବା ପାଇଁ ଆନନ୍ଦର ସହିତ ବାହାରିଥିବାବେଳେ ଶୁଭିଛି ଦଇବ ବାଣୀ । ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନ ହେବ କଂସ ମୃତ୍ୟୁର କାରଣ । ଦଇବବାଣୀ ଶୁଣି ଅତ୍ୟନ୍ତ କ୍ରୋଧିତ ହୋଇପଡିଛନ୍ତି ଯୁବରାଜ କଂସ । କ୍ରୋଧରେ ଦେବକୀ ବସୁଦେବଙ୍କୁ କାରାଦଣ୍ଡରେ ବନ୍ଦୀ କରିଥିବାବେଳେ ମହାରାଜା ଉଗ୍ରେସନକୁ ଗାଦିଚ୍ୟୁତ କରି ନିଜେ ମଥୁରାର ସିଂହାସନ ଆରୋହଣ କରିଛନ୍ତି । ମହାରାଜା କଂସଙ୍କ ରାଜ୍ୟାଭିଷେକ ପରେ ମନ୍ତ୍ରୀ ପରିଷଦ ଉଲ୍ଲସିତ ହୋଇପଡିଥିବାବେଳେ ସମସ୍ତଙ୍କ ମନୋରଞ୍ଜନ ପାଇଁ ଆୟୋଜନ କରାଯାଇଛି ନୃତ୍ୟ ଗୀତର କାର୍ଯ୍ୟକ୍ରମ ।

LEAVE A REPLY

Please enter your comment!
Please enter your name here