ସାରା ଦେଶରେ ପଡିଛି ଭାରତ ବନ୍ଦର ପ୍ରଭାବ । ଟ୍ରେଡ୍ ୟୁନିୟନ ପକ୍ଷରୁ ୨୪ ଘଣ୍ଟିଆ ଭାରତ ବନ୍ଦ କରାଯାଉଥିବାବେଳେ ଏଥିପାଇଁ ସାଧାରଣ ଜୀବନ ଯାତ୍ରା ଏକ ପ୍ରକାର ଠପ ହୋଇଯାଇଛି । ଆଜି ଓଡିଶାରେ ମଧ୍ୟ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ଦୋକାନ ବଜାର ଗାଡି ଚଳାଚଳ ବନ୍ଦ ରହିଛି । ଆନ୍ଦୋଳନକାରୀମାନେ ବିଭିନ୍ନ ଛକ , ରାଜପଥରେ ଟାୟାର ଜାଳି ପିକେଟିଂ କରୁଛନ୍ତି । ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି । ଭୁବନେଶ୍ୱର, ବରମୁଣ୍ଡା ,କଟକର ବାଦାମବାଡି , ପୁରୀ, ରାଉରକେଲା ସମେତ ରାଜ୍ୟର ବିଭିନ୍ନ ସହରରେ ବସ ଅଟକି ରହିଥିବାବେଳେ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଏଥିସହିତ ବିଭିନ୍ନ ଷ୍ଟେସନରେ ରେଳ ରୋକ ହେବା ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱର, କଟକ , ପୁରୀ, ବ୍ରହ୍ମପୁର, ବାଲେଶ୍ୱର ଓ ଭଦ୍ରକ ଷ୍ଟେସନରେ ବହୁ ଟ୍ରେନ ଦୀର୍ଘ ସମୟ ଧରି ଅଟକି ରହିଥିଲା । ବନ୍ଦ ପାଳନ ଯୋଗୁଁ ବ୍ୟାଙ୍କ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା , ଦୂର, ସର୍ବନିମ୍ନ ବେତନ ବୃଦ୍ଧି , ସାମାଜିକ ସୁରକ୍ଷା ଭଳି ୧୨ ଦଫା ଦାବିରେ ଟ୍ରେଡ୍ ୟୁନିୟନ ବନ୍ଦ ଡାକରା ଦେଇଥିବାବେଳେ କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରୁଛି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବଲାଙ୍ଗୀର ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କଂଗ୍ରେସ କର୍ମୀ ରାସ୍ତାକୁ ଓହ୍ଲାଇଛନ୍ତି ।

LEAVE A REPLY

Please enter your comment!
Please enter your name here