ପ୍ରଥମ ଦିନରୁ ହିଁ ଭାଇରାଲ । ମାଟ୍ରିକ ପରୀକ୍ଷା ଆରମ୍ଭ ହେଉ ହେଉ ପ୍ରଶ୍ନପତ୍ର ହେଲା ଭାଇରାଲ । ଆଜି ପ୍ରଥମ ଦିନ ଥିଲା ମାତୃଭାଷା ପରୀକ୍ଷା । ମାତ୍ର ପରୀକ୍ଷା ଆରମ୍ଭ ହେବାର ଘଣ୍ଟାକ ଭିତରେ ମାତୃଭାଷା ଓଡିଆ ପ୍ରଶ୍ନପତ୍ର ମୋବାଇଲକୁ ଆସିଗଲା । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ବୁଲିବା ଆରମ୍ଭ କଲା ପ୍ରଶ୍ନପତ୍ର । ତେବେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅସଲି କି ନକଲି, ଏବଂ କେଉଁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଲିକ୍ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ପ୍ରଶ୍ନପତ୍ର ଭାଇରାଲ ହୋଇଥିଲେ ତଦନ୍ତ କରାଯିବ । ଯିଏ ସମ୍ପୃକ୍ତ ଥିବ କାର୍ଯ୍ୟାନୁଷ୍ଠାନ ହେବ । କିନ୍ତୁ ପ୍ରଶ୍ନ ଉଠୁଛି, କଡା ସୁରକ୍ଷା ସତ୍ତ୍ୱେ ପ୍ରଶ୍ନପତ୍ର ଭାଇରାଲ ହେଲା କେମିତି । ପୂର୍ବବର୍ଷମାନଙ୍କରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବାରୁ ଚଳିତବର୍ଷ କର୍ତ୍ତୃପକ୍ଷ କଡା ପଦକ୍ଷେପ ନେଇଥିଲେ । ସବୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଡିଜିଟାଲ ଲକରରେ ରଖାଯାଇଥିଲା । ସିସିଟିଭି ବି ଲଗାଇଥିଲେ । ତା ସତ୍ତ୍ବେ ପ୍ରଶ୍ନପତ୍ର ଭାଇରାଲ ହେବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । (ରିପୋର୍ଟ : କଳାହାଣ୍ଡିରୁ ବ୍ରଜେଶ ପଣ୍ଡା)