ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ବର୍ଷା । ସକାଳୁ ପାଗ କୋହଲା ସାଙ୍ଗକୁ ଆରମ୍ଭ ହୋଇଛି ଝିପିଝିପି ବର୍ଷା । ଏହି ବର୍ଷାର ପ୍ରଭାବ ଆସନ୍ତା ୮ ତାରିଖ ଯାଏଁ ରହିବ । ଏହି ସମୟରେ ଓଡିଶାର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କେତକ ସ୍ଥାନରେ ଝଡ ବର୍ଷା ବି ହୋଇପାରେ । ଏଥିିପାଇଁ ଆସନ୍ତା ୫ ଦିନ ଯାଏଁ ଅଧିକାଂଶ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷକରି ଉପକୂଳ ଓଡିଶାରେ ଅଧିକ ଘଡଘଡି, ବଜ୍ରପାତ ଓ ହାଲୁକା ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଆଜି ପଶ୍ଚିମ ଓଡିଶା ସମେତ କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଆଜି ଅପରାହ୍ନଠାରୁ ୫ ତାରିଖ ସକାଳ ପର୍ଯ୍ୟନ୍ତ କେନ୍ଦୁଝର, ମୟୁରଭଞ୍ଜ ସମେତ ବାଲେଶ୍ୱର, କନ୍ଧମାଳ, ରାୟଗଡା, ବୌଦ୍ଧ, ସୁନ୍ଦରଗଡ, କଳାହାଣ୍ଡି, ଢେଙ୍କାନାଳ ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୫ ତାରିଖ ମଧ୍ୟାହ୍ନଠାରୁ ୬ ତାରିଖ ସକାଳ ସୁଦ୍ଧା ବର୍ଷାର ପରିମାଣ ବଢିବା ସହ ପବନ ବି ବହିବ । ବଜ୍ରପାତ ସହ ସ୍ଥାନେ ସ୍ଥାନେ ୩୦ରୁ୪୦କିମି ପବନ ବହିବ । ୬ ଓ ୭ ତାରିଖରେ ସମାନ ସ୍ଥିତି ଲାଗି ରହିବ । ୮ ତାରିଖରେ ଉପକୂଳ ଓଡିଶା ସମେତ ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ରାୟଗଡା ଓ କନ୍ଧମାଳ ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ଝଡ ବର୍ଷା ହୋଇପାରେ । ୮ ତାରିଖଠାରୁ ବର୍ଷାର ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।