ସଙ୍କ୍ରମଣ ଭୟ ବଢାଇଲା ଶେଷ ଦର୍ଶନ । ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରୁ ଆସିଛି । ଉକ୍ତ ଅଞ୍ଚଳର ଜଣେ ବନ କର୍ମଚାରୀଙ୍କ ମୃତ୍ୟୁର ପରଦିନ ଆସିଲା କୋଭିଡ ପଜିଟିଭ୍ ରିପୋର୍ଟ । ଫଳରେ ଶବ ଦାହରେ ଯାଇଥିବା ବହୁ ଅଧିକାରୀ ଏବଂ ବ୍ୟକ୍ତି ଚିନ୍ତାରେ ଅଛନ୍ତି । ମୃତକଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ, ସାମାନ୍ୟ ଥଣ୍ଡା ଜ୍ୱର ପରେ ଭଞ୍ଜନଗରରେ ସମ୍ପୃକ୍ତ ବ୍ୟକ୍ତି ସ୍ୱାବ ଟେଷ୍ଟ କରିଥିଲେ । ପଜିଟିଭ୍ ଆସିଲେ ତାଙ୍କୁ ଜଣାଇଦିଆଯିବ ବୋଲି କୁହାଯାଇଥିଲା । କିନ୍ତୁ ଦୁଇ ଦିନ ପରେ କୌଣସି ସୂଚନା ଦେଇନଥିଲେ ମେଡିକାଲ କର୍ତ୍ତୃପକ୍ଷ । ପୁଣି ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ନିଆଗଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଶରୀରକୁ ଅଣାଯାଇ ଭଞ୍ଜନଗରରେ ଶେଷକୃତ୍ୟ କରାଯାଇଥିଲା । ଶେଷକୃତ୍ୟରେ ଉପସ୍ଥିତ ଥିଲେ ଆତ୍ମୀୟ ଓ ବନ ବିଭାଗର ବହୁ ଅଧିକାରୀ । ।ଶବ ସତ୍କାର କରି ଫେରିବା ପରେ ତହସିଲଦାର ନିଜେ ଆସି ମୃତକଙ୍କ ରିପୋର୍ଟ ପଜିଟିଭ୍ ଅଛି ବୋଲି ଜଣାଇଥିଲେ । ଫଳରେ ଶେଷକୃତ୍ୟରେ ଯୋଗଦେଇଥିବା ସମସ୍ତଙ୍କ ମନରେ ଭୟ ଖେଳିଯାଇଛି । ୧୨ ଦିନ ଆଗରୁ କରୋନା ଟେଷ୍ଟ ହୋଇଥିଲେ ବି ଶବ ସତ୍କାର ପରେ ରିପୋର୍ଟ ଆସିବା ମଧ୍ୟ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ପଦାରେ ପକାଇଛି ।