ପିପିଲି ଉପନିର୍ବାଚନ ଘୋଷଣା ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପିପିଲି-ଡେଲାଙ୍ଗ ଅଞ୍ଚଳର ବିକାଶ ପାଇଁ 70 କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ମଧ୍ୟରେ ରହିଛି ପିପିଲି-ଡେଲାଙ୍ଗ ଅଞ୍ଚଳରେ ରାସ୍ତାଘାଟର ବିକାଶ, ଜଳସେଚନରେ ଉନ୍ନତି, ଷ୍ଟାଡିଅମ ନିର୍ମାଣ, ସେତୁ ନିର୍ମାଣ ଓ ବସଷ୍ଟାଣ୍ଡର ବିକାଶ । 1938ରେ ମହାତ୍ମା ଗାନ୍ଧୀ ଡେଲାଙ୍ଗର ବେରବୋଇକୁ ଆସି କୃଷି ଓ ଗ୍ରାମଦ୍ୟୋଗ ପ୍ରଦର୍ଶନୀରେ ଭାଗ ନେଇଥିଲେ । ତେଣୁ ବେରବୋଇରେ ଏକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ଗାନ୍ଧିଜୀଙ୍କ ସ୍ମୃତିପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଘୋଷଣା କରିଥିବା ବେଳେ ପିପିଲି ଓ ଡେଲାଙ୍ଗର ଦୁଇଟି ସ୍ଥାନରେ ସଭା ଆୟୋଜନ କରାଯାଇଥିଲା । ପିପିଲିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ଡେଲାଙ୍ଗରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ । ଏହି ଅବସରରେ ପିପିଲିରେ 1761 ଜଣଙ୍କୁ ରାସନକାର୍ଡ, 3059 ଜଣଙ୍କୁ ଭତ୍ତା, ଓ ଭିନ୍ନକ୍ଷମ ସହାୟତା ପ୍ରଦାନ କରାଯାଇଥିବା ବେଳେ ଡେଲାଙ୍ଗରେ 320 ଜଣଙ୍କୁ ରାସନ କାର୍ଡ, 1230ଜଣଙ୍କୁ ଭତ୍ତା, 20 ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ 5ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here