ଘର ମାଲିକଙ୍କୁ ମିଠା ଖୁଆଇ ସୁନା ଲୁଟିନେଲେ ଭଡାଟିଆ । ଆପଣଙ୍କୁ କଥାଟା ଟିକେ ଅଡୁଆ ଲାଗୁଥିବ । କିନ୍ତୁ ଏଭଳି ଖବର ଆସିଛି ମାଲକାନଗିରି ସଦର ମହକୁମାରୁ । ସହରର ଡିଏନକେ ସ୍ଥିିତ ସୁନା ବ୍ୟବସାୟୀ ସୁବାଷ ପଟେଲଙ୍କ ଘରେ ଭଡାରେ ରହୁଥିଲେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ଜଗଦିଶ ଓ ତାଙ୍କ ଧର୍ମପତ୍ନୀ । ମାଲିକ ଘରୁ ଲୁଟ୍ କରିବା ପାଇଁ ଗତକାଲି ଯୋଜନା କରି ଲଡୁରେ ନିଶା ମିଶାଇ ଖୁଆଇଥିଲେ ଦମ୍ପତ୍ତି । କେବଳ ମାଲିକ ନୁହେଁ ସାହି ବାସିନ୍ଦାଙ୍କୁ ମଧ୍ୟ ମିଠା ଖୁଆଇଥିଲେ । ସମସ୍ତେ ଅଚେତ ହୋଇଯିବା ପରେ ଗ୍ରିଲ କାଟି ୭ଶହ ଗ୍ରାମ ସୁନା ଓ ୨ଲକ୍ଷ ନଗଦ ଟଙ୍କା ଧର ଫେରାର ହୋଇଥିଲେ । ଲୁଟେରା ପ୍ରାୟ ୩ ମାସ ଆଗରୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ । ସେ ୩ ମାସ ତଳେ ବଣିଆଙ୍କ ଘରେ ଭଡ଼ା ରହିବା ପରେ ଗତିବିଧିକୁ ଦେଖି ଲୁଟର ଯୋଜନା କରିଥିଲେ । ଘର ମାଲିକଙ୍କ ସହିତ ଘନିଷ୍ଠତା ବଢାଇଥିଲେ । ବିଶ୍ବାସରେ ବିଷ ମିଶାଇ ଗତକାଲି ରାତି ୮ଟା ସମୟରେ ନିଜର ଚାକିରି ହୋଇଯାଇଥିବା କହିଥିଲେ । ଏହା ପରେ ବଣିଆଙ୍କ ପରିବାର ଲୋକଙ୍କୁ ମିଠା ଖୁଆଇଥିଲେ । ସବୁଠାରୁ ବଡ କଥା ହେଉଛି ଭଡାଟିଆ ମନ୍ଦିରରୁ ମିଠା ପୂଜା କରି ଆଣିଥିବା କହିଥିଲେ । ଏବେବି ମିଠା ଖାଇଥିବା ସମସ୍ତ ବ୍ୟକ୍ତି ନିଶାସକ୍ତ ହୋଇ ରହିଛନ୍ତି । ଏହି ଘଟଣା ଜାଣିବା ପରେ ସଦର ମହକୁମା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପରିକି ସିସିଟିଭି ଥିଲେ ମଧ୍ୟ ସିସିଟିଭିକୁ କାଟି ନେଇଯାଇଛି ଲୁଟେରା ।

LEAVE A REPLY

Please enter your comment!
Please enter your name here