ଭୁବନେଶ୍ୱରରେ ପ୍ରତିଷ୍ଠା ହେବା ପାଇଁ ଯାଉଛି କ୍ୟାନସର ହସ୍ପିଟାଲ । ଏହି କ୍ୟାନସର ହସ୍ପିଟାଲ ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ବାଗଚୀ ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିପାଇଁ ସୁବ୍ରତ ବାଗଚୀ ଏବଂ ପତ୍ନୀ ସସ୍ମିତା ବାଗଚୀ ୨୧୦ କୋଟି ଟଙ୍କା ଅନୁଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି କ୍ୟାନସର ହସ୍ପିଟାଲ ପାଇଁ ୨୦ ଏକର ଜମି ପ୍ରଦାନ କରିବେ । ୨୦୨୪ ସୁଦ୍ଧା ୨୫୦ ଶର୍ଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସାଳୟ ଆରମ୍ଭ ହେବ । ପରେ ଶର୍ଯ୍ୟା ସଂଖ୍ୟା ୫ ଶହକୁ ବୃଦ୍ଧି କରାଯିବ । ଏହାଛଡା ଜିଲ୍ଲା ଜଜ କ୍ୟାଡର ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ସହ ନିଯୁକ୍ତି ବର୍ଷରେ ଅଧିକାରୀଙ୍କ ବରିଷ୍ଠତା ପଦ୍ଧତି ସ୍ଥିର କରିବା ପାଇଁ ଓଏସଜେଏସ ଏବଂ ଓଜେଏସ ନିୟାମବଳୀ ସଂଶୋଧନକୁ ମଂଜୁରୀ ମିଳିଛି । ଏହାଦ୍ୱାରା ନିଯୁକ୍ତି ବର୍ଷ ଅଗଷ୍ଟ ୧ ତାରିଖ ପରିବର୍ତ୍ତେ ଅପ୍ରେଲ ୧ ତାରିଖରୁ ବୋଲି ଗଣାଯିବ । ଓଡିଶା ଖଣିଜ ପଦାର୍ଥ ଅଧିନିୟମ ୨୦୦୭ର ପରିବର୍ଦ୍ଧିତ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିରେ ଚୋରୀ, ବେଆଇନ କାରବାର ନିରାକରଣ ସଂଶୋଧନ ୨୦୨୧କୁ ଅନୁମୋଦନ ମିଳିଛି ।