କେତେ ଭୟଙ୍କର ହୋଇପାରେ କରୋନା । କେତେ ଭୟଙ୍କର ହୋଇପାରେ ଦୁଃଖ । କେନ୍ଦ୍ରାପଡା ରାଜକନିକା ବ୍ଲକ ଦୁର୍ଗାଦେବୀପଡା ଗାଁରୁ ଆସିଛି ଏମିତି ଦୁଃଖଦ କାହାଣୀ । ବେଙ୍ଗାଲୁରରେ କାମ କରୁଥିବା ଏହି ଗାଁର ସଞ୍ଜୟ ନାୟକଙ୍କ ବାହାଘର ଠିକ୍ ହୋଇଥିଲା ରାଜକନିକା ବ୍ଲକ ଓଲାଭର ଗାଁରେ । ବେଙ୍ଗାଲୁରରୁ ନିଜ ବଡଭାଇଙ୍କ ସହ ଗତ ମେ 1 ତାରିଖରେ ଫେରିଥିଲେ ସଞ୍ଜୟ । ମେ 9 ତାରିଖରେ କୋଭିଡ ନିୟମ ଭିତରେ ହୋଇଥିଲା ବାହାଘର । ତେବେ ବାହାଘର ପୂର୍ବରୁ ସେ ଅସୁସ୍ଥ ଅନୁଭବ କରୁଥିଲେ । ଥଣ୍ଡା, ଜ୍ବର ଓ କାଶ ହେଉଥିଲା । ସେମିତି ଅସୁସ୍ଥତା ଭିତରେ ତାଙ୍କର ବାହାଘର ହୋଇଥିଲା । ଚଉଠି ପରଦିନ ସଞ୍ଜୟଙ୍କ ଦେହ ଅଧିକ ଖରାପ ହେବାକୁ ଲାଗିଲା । ତାଙ୍କୁ ପ୍ରଥମେ ଯାଜପୁର ଡାକ୍ତରଖାନା ଓ ପରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରମାନେ ତାଙ୍କୁ ବଞ୍ଚାଇପାରି ନଥିଲେ । କୋଭିଡ ସଂକ୍ରମିତ ହୋଇଥିବା ଯୋଗୁ ସଞ୍ଜୟଙ୍କ ମୃତ୍ୟୁ ହୋଇଥିଲା । ସଞ୍ଜୟଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭିର ଶୋକର ଛାୟା ଖେଳିଯାଇଛି । ଯଦି ଆରମ୍ଭରୁ ସେ ଚିକିତ୍ସା କରିଥାନ୍ତେ, ହୁଏତ ସେ ବଞ୍ଚିଯାଇଥାନ୍ତେ । ତେବେ ଦୁଇ ପରିବାର ମଧ୍ୟରେ ବାହାଘରକୁ ନେଇ ଯେଉଁ ଖୁସି ଥିଲା, ନିମିଷକ ମଧ୍ୟରେ କରୋନା ଦୁଃଖରେ ପରିଣତ କରିଦେଲା ।

LEAVE A REPLY

Please enter your comment!
Please enter your name here