ଇତି ମଧ୍ୟରେ ଦେଢ ବର୍ଷ ବିତିଲା । ତଥାପି ରାୟଗଡା ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଗୋସେଇଁ କଣ୍ଟୁଆ ଗ୍ରାମର କ୍ଷତିଗ୍ରସ୍ତ ଙ୍କୁ ସରକାରୀ ସହାୟତା ମିଳିନାହିଁ ।ଗ୍ରାମର ୨୪ ଜଣଙ୍କୁ କ୍ଷତିପୁରଣ ମିଳିଥିବାବେଳେ ଅନେକ କ୍ଷତିଗ୍ରସ୍ତଙ୍କୁ ଘରଭଙ୍ଗା କ୍ଷତିପୂରଣ ତାଲିକାରୁ ବାଦ୍ ଦିଆଯାଇଥିବା ଅଭିଯୋଗ ହୋଇଛି । ଆଜିପର୍ଯ୍ୟନ୍ତ ପ୍ରଭାବିତ ମାନେ ଚାଳ ଛପର ଓ ଜରିଟାଙ୍ଗି ରାତି କଟାଉଛନ୍ତି । ଆଉ ଯେଉଁମାନଙ୍କୁ ଘରଭଙ୍ଗା ବାବଦକୁ ଟଙ୍କା ମିଳିଛି ସେମାନେ ଉପଯୁକ୍ତ ସ୍ଥାନ ଅଭାବରୁ ନୂତନ ଘର ନିର୍ମାଣ କରିପାରୁନାହାନ୍ତି ।

ଏବେ ମଧ୍ୟ ନାଗାବଳୀ ନଦୀର ବନ୍ୟକଥା ଭାବିଲେ ଲୋମ ଟାଙ୍କୁରି ଯାଉଛି ବନ୍ୟା ପ୍ରଭାବିତଙ୍କର । କଲ୍ୟାଣସିଂ ପୁର ବ୍ଲକ ପରେ ବନ୍ୟାରେ ବିଶେଷଭାବେ ପ୍ରଭାବିତ ହୋଇଥିଲେ ରାୟଗଡା ଜିଲ୍ଲା ସଦର ବ୍ଲକ ଗୋସେଇଁ କଣ୍ଟୁଆ ଗ୍ରାମବାସୀ । ଅନେକ ଧନ ଜୀବନ ନଷ୍ଟ ହେବା ସହ ପ୍ରାୟ ୪୦ ରୁ ଉଦ୍ଧ୍ୱର୍ଘର ନଷ୍ଟ ହୋଇଥିଲା ।ମାଟି କାନ୍ଥରେ ତିଆରି ହୋଇଥିବା ଘର ଗୁଡିକ ସଂପୁର୍ଣ ଭାବେ ଭୁସୁଡି ପଡିବା ପରେ ଲୋକେ ନିରାଶ୍ରୟ ହୋଇପଡିଥିଲେ । ହେଲେ ସେହି ସମୟର ରାଜସ୍ୱ ବିଭାଗ ପକ୍ଷରୁ ତରବରିଆ ଭାବେ ୨୪ଜଣ କ୍ଷତିଗ୍ରସ୍ତଙ୍କୁ ଘର ନିର୍ମାଣ କରିବା ପାଇଁ ୧ଲକ୍ଷ ୧୯ଶହ ଟଙ୍କା ପ୍ରଦାନ କରାଯାଇଥିଲା । ହେଲେ ଅନେକ କ୍ଷତିଗ୍ରସ୍ତ ଙ୍କୁ ସହାୟତାରୁ ବାଦ ଦିଆଯାଇଥିଲା । ଯାହାଫଳରେ ଆଜି ମଧ୍ୟ ବନ୍ୟା ପ୍ରଭାବିତ ମାନେ ସରକାରୀ ସହାୟତାକୁ ଅପେକ୍ଷା କରି ବସିଛନ୍ତି ।

ଖାଲି ଏତିକି ନୁହଁ ଲୋକେ ସାଇତି ରଖିଥିବା ଧାନ,ଚାଉଳ,କପା ସହ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ମଧ୍ୟ ବନ୍ୟାପାଣିରେ ଧୋଇ ହୋଇ ଯାଇଥିଲା । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସହ ଘର ନିର୍ମାଣ ବାବଦକୁ ସରକାରୀ ଜାଗା ପ୍ରଦାନ ପାଇଁ ପ୍ରତିଶୃତି ଦିଆଯାଇଥିଲା ।ହେଲେ ଏଯାଏଁ ସଠିକ ଭାବେ ସ୍ଥାନ ନିରୂପଣ ହୋଇନ ଥିବାରୁ ଲୋକେ ନୂତନ ଘର ମଧ୍ୟ ନିର୍ମାଣ କରିପାରୁ ନାହାନ୍ତିା ଯାହାଫଳରେ ଲୋକେ ଆଜି ମଧ୍ୟ ସେହି ଜରିଟଣା ଚାଳଛପର ଘରେ ରହିବାକୁ ବାଧ୍ୟ ହେଉଛନ୍ତି ।

ବିଭାଗୀୟ ଅଧିକାରୀଙ୍କୁ ଏନେଇ ଯୋଗାଯୋଗ କରିଥିଲେ ମଧ୍ୟ କ୍ୟାମେରା ସମ୍ମୁଖରେ କହିବାକୁ ସେ ରୋକଠୋକ ମନା କରି ଦେଇଥିଲେ ।ତେବେ ଦେଖିବାକୁ ବାକି ରହିଲା କେବେ ସରକାର ଓ ବିଭାଗୀୟ ଅଧିକାରୀଙ୍କ ଶୁଭଦୃଷ୍ଟି ପଡୁଛି ଓ ସରକାରୀ ସାହାଯ୍ୟ ମିଳୁଛି ।

LEAVE A REPLY

Please enter your comment!
Please enter your name here