ଦେଶରେ ବିଜେପିର ଲହର ଜାରି ରହିଥିବା ବେଳେ 2017 ବିଧାନସଭା ନିର୍ବାଚନରେ ପଞ୍ଜାବବାସୀ କଂଗ୍ରେସକୁ କ୍ଷମତାରେ ବସାଇଥିଲେ । କ୍ୟାପଟେନ ଅମରିନ୍ଦର ସିଂହଙ୍କ ନେତୃତ୍ବରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିଥିଲା । କ୍ୟାପଟେନ ଅମରିନ୍ଦରଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା । ମାତ୍ର କଂଗ୍ରେସର ପୁରୁଣା ରୋଗ ବାହାରିଲା । କ୍ୟାପଟେନ ଅମରିନ୍ଦରଙ୍କୁ ନବଜ୍ୟୋତ ସିଂ ସିଦ୍ଧୁଙ୍କ ଭଳି କିଛି ନେତା କାଉଣ୍ଟର କରିବା ଆରମ୍ଭ କରିଦେଲେ । ଅର୍ଥାତ ନିଜ ଦଳୀୟ ନେତାଙ୍କ ସମାଲୋଚନାର ଶରବ୍ୟ ହେଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର । ଅମରିନ୍ଦରଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଯଦିଓ ଅନେକ ଭଲ ନିଷ୍ପତ୍ତି ନିଆଯାଇଥିଲା, ମାତ୍ର ଦଳୀୟ କନ୍ଦଳ ଏତେ ମାତ୍ରାରେ ବଢିଗଲା ଯେ, ଶେଷରେ ଅମରିନ୍ଦରଙ୍କୁ ଇସ୍ତଫା ଦେବାକୁ ପଡିଲା । ଅମରିନ୍ଦରଙ୍କ ଇସ୍ତଫା ପଛରେ ମୁଖ୍ୟ ନାୟକ ହେଉଛନ୍ତି ନବଜ୍ୟୋତ ସିଂ ସିଦ୍ଧୁ । ସିଦ୍ଧୁ, ଯିଏ କ୍ରିକେଟରରୁ ରାଜନୀତିକୁ ଆସିଛନ୍ତି ଏବଂ କଂଗ୍ରେସରେ ଯୋଗ ଦେବା ପୂର୍ବରୁ ବିଜେପିରେ ଥିଲେ । ମାତ୍ର ସିଦ୍ଧୁଙ୍କ ଆଟିଚ୍ୟୁଡ ପାଇଁ ବିଜେପିରେ ସେ ଖାପ ଖୁଆଇ ପାରିଲେନି । 2017ରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ଆଉ ଚାରିବର୍ଷ ଭିତରେ ଦଳୀୟ ହାଇକମାଣ୍ଡଙ୍କ ମନ ଏମିତି କିଣିନେଲେ ଯେ, ତାଙ୍କୁ ପିସିସି ସଭାପତି କରିଦିଆଗଲା । ଏବେ ତାଙ୍କ ଜିଦ୍ ଆଗରେ ଅମରିନ୍ଦରଙ୍କୁ ଇସ୍ତଫା ଦେବାକୁ ହାଇକମାଣ୍ଡ ନିର୍ଦ୍ଦେଶ ଦେଲେ ।
ଏବେ ଅମରିନ୍ଦରଙ୍କ ଉତ୍ତରାଧିକାରୀ ଖୋଜୁଛନ୍ତି ସୋନିଆ – ରାହୁଲ । ପଞ୍ଜାବରେ ଅମରିନ୍ଦର ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ମାତ୍ର ଦଳ ହାଇକମାଣ୍ଡ ବେଳ ଥାଉ ଥାଉ ପରିସ୍ଥିତି ସମ୍ଭାଳି ପାରିଲେନି, ବରଂ ସ୍ଥିତି ବିଗାଡି ଦେଲେ । ଏବେ ଅମରିନ୍ଦର ଇସ୍ତଫା ପରେ କହିଛନ୍ତି, ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ସେ ବିରୋଧ କରିବେ । ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ । ମାତ୍ର ତା ପୂର୍ବରୁ କଂଗ୍ରେସର କନ୍ଦଳ ଯେମିତି ତୀବ୍ର ହେଲାଣି, ଏବେଠୁ ସ୍ପଷ୍ଟ ହେଲାଣି ଆସନ୍ତା ନିର୍ବାଚନରେ ପଞ୍ଜାବ କଂଗ୍ରେସ ହାତରୁ ଖସିବା ନିଶ୍ଚିତ ।
ବିଭିନ୍ନ ରାଜ୍ୟରୁ କଂଗ୍ରେସ ମୂଳପୋଚ୍ଛ ହୋଇଚାଲିଛି । ମାତ୍ର ବିରୋଧୀ ଦଳ ହିସାବରେ ସଂଗଠନକୁ ସଜାଡିବା ବଦଳରେ କଂଗ୍ରେସିଆ ନିଜ ନିଜ ଭିତରେ ଏମିତି ଲଢେଇରେ ମାତିଛନ୍ତି ଯେ, ଆପେ ଆପେ ଶେଷ ହେବାରେ ଲାଗିଛନ୍ତି ।
ଓଡିଶାରେ କଂଗ୍ରେସର ଚିତ୍ର ବି ସେମିତି । କ୍ଷମତାରେ ନ ରହିଲେ ବି ମୁଖ୍ୟ ବିରୋଧୀ ଦଳରୁ ଏବେ ତୃତୀୟ ସ୍ଥାନକୁ ଖସିବା ପରେ ବି ଚେତା ପଶୁନି । ଜଣଙ୍କ ପରେ ଜଣେ ନେତା ଦଳ ଛାଡି ଚାଲି ଯାଉଛନ୍ତି । କିଛି ଦିନ ତଳେ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ପିସିସି ସଭାପତିଙ୍କ ବିରୋଧରେ ତୁମ୍ବିତୋଫାନ କରୁଥିଲେ । କେନ୍ଦ୍ରୀୟ ନେତା ଆସି ପ୍ୟାଚ୍ ପକାଇଲେ । ଏବେ ଦଳର ପୂର୍ବତନ କାର୍ଯ୍ୟକାରୀ ସଭାପତି, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଦଳ ଛାଡି ବିଜେଡିରେ ମିଶିବା ପାଇଁ ଗୋଡ ଟେକି ବସିଛନ୍ତି । କଂଗ୍ରେସର ଅବସ୍ଥା କୁଆଡକୁ ଯାଉଛି, ଲୋକେ ଦେଖୁଛନ୍ତି ।

LEAVE A REPLY

Please enter your comment!
Please enter your name here