ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଆଣି ବିରୋଧୀ ତାଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି । ଭବାନୀପାଟଣାଠୁ ରାଜଧାନୀ ଭୁବନେଶ୍ବର ଯାଏଁ ରାଜନୀତି ସରଗରମ ରହିଥିବା ବେଳେ ଆଜି ମିଶ୍ରଣ ପର୍ବରେ ଯୋଗଦେବାକୁ ଯାଉଥିବା ବେଳେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡି ଉପରକୁ ବିଜେପି କର୍ମୀମାନେ ଅଣ୍ଡାମାଡ କରିଛନ୍ତି । ଜୁନାଗଡ କଲେଜ ଛକଠାରେ ବିଜେପି କର୍ମୀ ମନ୍ତ୍ରୀଙ୍କ ଇସ୍ତଫା ଦାବିର ନାରା ଦେଇ କଳାପତାକା ପ୍ରଦର୍ଶନ କରିବା ସହ ଗାଡି ଉପରକୁ ଅଣ୍ଡାମାଡ କରିଥିଲେ । ଗାଡି ଭିତରେ ମନ୍ତ୍ରୀଙ୍କ ସହ ବିଧାୟକ ତଥା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଥିଲେ । କିଛି ସମୟ ପାଇଁ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସ ସୁରକ୍ଷା ଭିତରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦଳୀୟ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ ।
ଆସନ୍ତାକାଲି କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ଥିବାରୁ ରାଜନୀତି ସରଗରମ ରହିଛି । ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ କଡା ସୁରକ୍ଷା ଭିତରେ ନିଆଗଲେ ମଧ୍ୟ ବିରୋଧୀ ତାଙ୍କ ବିରୋଧ ପ୍ରଦର୍ଶନ ଜାରି ରଖିବେ ବୋଲି କହିଛନ୍ତି ।