ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ଭାଇରାଲ୍ ହେଲା ମମିତା ମେହେରଙ୍କ ବାପାଙ୍କ ଭିଡିଓ । ହାତ ଯୋଡି ନିବେଦନ କରୁଛନ୍ତି, ଆମ ଝିଅ ମମିତା ଭଲ ଝିଅ ଥିଲା । ଆଉ ତାର ଚରିତ୍ର ସଂହାର କରନ୍ତୁନି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ପୁରା ଭରସା ଅଛି ।
ହଠାତ ମମିତାଙ୍କ ବାପା ଏମିତି ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ଛାଡିବା ପଛରେ କି ଉଦ୍ଦେଶ୍ୟ ରହିଛି ?
ତେବେ ଏଭଳି ଭିଡିଓ ଭାଇରାଲ କରିବା ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । ବିଜେପି ନେତା ଜୁଏଲ ଓରାମ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏଭଳି ଭିଡିଓ ଭାଇରାଲ କରିବା ପାଇଁ ଚାପ ପଡିଛି । ସରକାର ମମିତାଙ୍କ ପରିବାର ଉପରେ ଚାପ ପକାଉଛନ୍ତି । ପୂର୍ବରୁ ମମିତାଙ୍କ ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ନେଇ ମମିତାଙ୍କ ପରିବାର ଅଭିଯୋଗ କରୁଥିଲେ । ଯେତେବେଳେ ବିରୋଧୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜୋରଦାର କଲେ, ସେତେବେଳେ ମମିତାଙ୍କ ବାପା ପୋଲିସ ତଦନ୍ତରେ ତାଙ୍କ ପରିବାର ସନ୍ତୁଷ୍ଟ ବୋଲି କହୁଛନ୍ତି । ମମିତାଙ୍କ ପରିବାର ସଂପୂର୍ଣ୍ଣ ଚାପରେ ଥିବା ଅଭିଯୋଗ କରିଛନ୍ତି ଜୁଏଲ ।
ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ବି ସମାନ ଅଭିଯୋଗ କରିଛନ୍ତି । ମମିତାଙ୍କ ପ୍ରସଙ୍ଗକୁ ନେଇ ସରକାର ଅଡୁଆରେ ପଡୁଥିବାରୁ ତାଙ୍କ ପରିବାର ଉପରେ ସରକାରୀ ଦଳ ଚାପ ପକାଇବା ଆରମ୍ଭ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରି ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଘଣ୍ଟାକ ପାଇଁ ଜନତା କର୍ଫ୍ୟୁ ଡାକରା ଦେଇଛନ୍ତି । ଯେପର୍ଯ୍ୟନ୍ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାଁନ୍ତି, ସେପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଜାରି ରହିବ ବୋଲି ବିରୋଧୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here