ଡାକ୍ତର ସୁମିତ ଓ ତପସ୍ବିନୀ ବିବାଦରେ ନୂଆମୋଡ । ଜିଲ୍ଲା ଜଜ୍ କୋର୍ଟଙ୍କ ରାୟ ପରେ ତପସ୍ବିନୀ ଯଦିଓ ତାଙ୍କ ଶାଶୁଘରେ ରହିବା ପାଇଁ ସୁଯୋଗ ପାଇଛନ୍ତି, କିନ୍ତୁ ଡାକ୍ତର ସୁମିତ ତଳ କୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ଆଜି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଜିଲ୍ଲା ଜଜ୍ କୋର୍ଟଙ୍କ ରାୟ ଏକପାଖିଆ ବୋଲି ସେ କହିଛନ୍ତି । ତପସ୍ବିନୀଙ୍କ ସହ ବିବାହ ବିବାଦ ମାମଲା ଅଦାଲତର ବିଚାରାଧିନ ରହିଥିବା ବେଳେ ଜିଲ୍ଲା ଜଜ୍ କୋର୍ଟ କିପରି ସଙ୍ଗେ ସଙ୍ଗେ ମଧ୍ୟବର୍ତ୍ତୀକାଳିନ ଭରଣପୋଷଣ ଧାର୍ଯ୍ୟ କଲେ ବୋଲି ସୁମିତ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦୀର୍ଘ 44 ଦିନ ଡାକ୍ତର ସୁମିତଙ୍କ ଘର ଆଗରେ ତପସ୍ବିନୀଙ୍କ ଧାରଣା ପରେ ଜିଲ୍ଲା ଜଜ୍ ତପସ୍ବିନୀଙ୍କୁ ଶାଶୁଘରେ ରହିବାକୁ ଅନୁମତି ଦେବା ସହ ପ୍ରତିମାସରେ 17 ହଜାର ଟଙ୍କା ଭରଣପୋଷଣ ବାବଦରେ ଦେବାକୁ ଡାକ୍ତର ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୁମିତ କହିଛନ୍ତି, ଘରକଥା ପଦାରେ ପକାଇବା ପରେ ଏବଂ ତାଙ୍କୁ ଓ ତାଙ୍କ ପରିବାରର ସାଧାରଣରେ ସମ୍ମାନ ହାନୀ କରିବା ପରେ ଆଉ ତପସ୍ବିନୀଙ୍କ ସହ ଏକାଠି ରହିବାର ପ୍ରଶ୍ନ ଉଠୁନି । ମାନସିକ ଭାବେ ସେ ଅସୁସ୍ଥ ଥିବାରୁ ସ୍ବାଭାବିକ ଭାବେ ଚାକିରୀରେ କାର୍ଯ୍ୟ କରିବା ସମ୍ଭବ ନ ଥିବାରୁ ଛୁଟିରେ ରହିଛନ୍ତି । ତେଣୁ ସେ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ଡାକ୍ତର ସୁମିତ ହାଇକୋର୍ଟରେ ଆବେଦନ କରିବା ପରେ ଏହି ମାମଲା ନିକଟ ଭବିଷ୍ୟତରେ ତୁଟିବାର ସମ୍ଭାବନା ନାହିଁ । ତେବେ ତପସ୍ବିନୀଙ୍କ ସହ ଡାକ୍ତର ସୁମିତଙ୍କ ବିବାଦରେ ନୂଆମୋଡ ତପସ୍ବିନୀଙ୍କୁ ପୁଣି ଅନିଶ୍ଚିତତା ମଧ୍ୟକୁ ଟାଣି ନେଇଛି ।

LEAVE A REPLY

Please enter your comment!
Please enter your name here