2024ରେ ବିରୋଧୀ ଶୂନ୍ୟ ହେବ ଓଡିଶା । ସମଗ୍ର ଦେଶର ବିଧାନସଭା ଇତିହାସରେ ନୂଆ ରେକର୍ଡ ତିଆରି କରିବ ବିଜେଡି । ପୌର ନିର୍ବାଚନରେ ଦଳର ବିଜୟ ସଫଳତା ପରେ ଏବେ ନୂଆ ଏଜେଣ୍ଡା ପ୍ରସ୍ତୁତ କରିଛି ବିଜେଡି । 30ଟି ଯାକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଅକ୍ତିୟାର କରିବା ପରେ ଦଳୀୟ ନେତାଙ୍କ ଆତ୍ମବିଶ୍ବାସ ଆହୁରି ବଢିଯାଇଛି । ସମଗ୍ର ରାଜ୍ୟକୁ ବିରୋଧୀ ଶୂନ୍ୟ କରିବା ପାଇଁ ରଣନୀତି ତିଆରି କରିବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ । ନବୀନ ନିବାସରେ ଆଜିଠୁ ଆରମ୍ଭ ହୋଇଥିବା ସମୀକ୍ଷା ପର୍ବ ଆସନ୍ତା ମଙ୍ଗଳବାର ଯାଏଁ ଚାଲିବ । ବୈଠକରେ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକମାନେ ଯୋଗଦେଇ ପୌର ଓ ପଞ୍ଚାୟତ ନିର୍ବାଚନର ତ୍ରୁଟି ବିଚ୍ୟୁତି ସଂପର୍କରେ ଆଲୋଚନା କରିଛନ୍ତି । ପର୍ଯ୍ୟବେକ୍ଷକମାନଙ୍କ ସହ ନବୀନଙ୍କ କୋଟେରୀରେ ଥିବା ନେତାମାନେ ତନ୍ନତନ୍ନ ଆଲୋଚନା କରିଛନ୍ତି । ସଂଗଠନକୁ ମଜଭୂତ କରିବା ପାଇଁ ଯାହା ଆବଶ୍ୟକ, ସମସ୍ତ ପଦକ୍ଷେପ ନେବାକୁ ଟିମକୁ ସବୁଜ ସଙ୍କେତ ଦେଇଛନ୍ତି ନବୀନ । ଏଥିପାଇଁ ଦଳୀୟ ସଂଗଠନ ପୁର୍ନଗଠନ ସହ ମନ୍ତ୍ରୀମଣ୍ଡଳରେ ମଧ୍ୟ ଅଦଳବଦଳ କରିବାର ଆଭାସ ମିଳିଛି । ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳୀୟ ବିଧାୟକ ତଥା ନିର୍ବାଚିତ ପ୍ରତିନିଧିଙ୍କ ପରଫର୍ମାନ୍ସ କାର୍ଡ ଆଧାରରେ ସାଂଗଠନିକସ୍ତରରେ ଅଦଳବଦଳ କରାଯିବ । କାହାକୁ ମନ୍ତ୍ରୀମଣ୍ଡଳରୁ ବାଦ ଦେଇ ସାଂଗଠନିକ କାମରେ ନିୟୋଜିତ କରାଯିବ ଏବଂ କାହାକୁ ପୁରସ୍କାର ସ୍ବରୁପ ମନ୍ତ୍ରୀମଣ୍ଡଳରେ ଅଥବା ନିଗମ ଓ ସରକାରୀ ସଂସ୍ଥାରେ ଥଇଥାନ କରାଯିବ, ତାହା ଏହି ବୈଠକ ପରେ ସ୍ଥିର କରିବେ ନବୀନଙ୍କ ଟିମ୍ । ଏଥିସହିତ ମିଶନ୍ 2024 ପାଇଁ ରୋଡ୍ ମ୍ୟାପ ପ୍ରସ୍ତୁତ କରିବ ବିଜେଡି । ଯେଉଁ ସ୍ଥାନରେ ବିରୋଧୀ ସୁଦୃଢ ଅଛନ୍ତି, ସେଠାରେ ଦଳ କେମିତି ବିଜୟ ଲାଭ କରିବ, ସେଥିପାଇଁ ଏବେଠୁ ରଣନୀତି ପ୍ରସ୍ତୁତ କରିବ ଦଳ । ବିଧାନସଭାର 147 ଆସନରେ ଶଙ୍ଖ ଫୁଙ୍କିବାକୁ ଯୋଜନା କରୁଛନ୍ତି ନବୀନଙ୍କ ଟିମ୍ । ଏଭଳି ଯୋଜନା ଭିତରେ ନବୀନଙ୍କ ଉତ୍ତରାଧିକାରୀ ବି ଚୟନ କରାଯିବ । ଉତ୍ତରାଧିକାରୀ ଚୟନରେ ନବୀନଙ୍କ ମୋହର ବାଜିଲେ ଦଳ ଭିତରେ ଏବଂ ବାହାରେ ତାଙ୍କର ଗ୍ରହଣୀୟତାକୁ କେହି ବିରୋଧ କରିବେ ନାହିଁ ।

LEAVE A REPLY

Please enter your comment!
Please enter your name here