ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା 20 ତାରିଖରେ ରୋମ୍ ଓ ଦୁବାଇ ଗସ୍ତରେ ଯିବେ । ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ରୋମସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ପରିଦର୍ଶନରେ ଯିବା ପାଇଁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଡବ୍ଲୁଏଫପି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ବିସଲେଙ୍କୁ ସାକ୍ଷାତ କରି ରାଜ୍ୟର ଖାଦ୍ୟ ନିରାପତ୍ତା ଓ ବିପର୍ଯ୍ୟୟ ପରିଚାଳନା ସଂପର୍କରେ କଥା ହେବେ । ରୋମରେ ରହିବା ସମୟରେ ମୁଖ୍ୟମନ୍ତ୍ରୀ ଭାଟିକାନ ସିଟିରେ ପୋପ୍ ଫ୍ରାନସିସଙ୍କୁ ଭେଟିବେ । ଏହି ଗସ୍ତ ସମୟରେ ସେ ରୋମ ଓ ଦୁବାଇରେ ପ୍ରବାସୀ ଓଡିଆଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦୁବାଇରେ ଅବସ୍ଥାନ ସମୟରେ ଓଡିଶାରେ ପୁଞ୍ଜି ନିବେଶ ପାଇଁ ସେ ନିବେଶକଙ୍କ ସହ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରତିନିଧି ଦଳରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ଫାଇଭ ଟି ସଚିବ ଭି.କେ. ପାଣ୍ଡିୟାନ, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ଭି.ଭି. ଯାଦବ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଏବଂ ଦିଲ୍ଲୀସ୍ଥିତ ଆବାସିକ କମିଶନର ରବି କାନ୍ତ ବିଦେଶ ଗସ୍ତରେ ଯିବେ ।