ପାକିସ୍ତାନର ମୁଲତାନର ସହରର ନିଶାର ଡାକ୍ତରଖାନା ଛାତ ଉପରେ କୁଢ କୁଢ ଶବ । ବ୍ୟବଚ୍ଛେଦ ଗୃହ ଓ ଛାତ ଉପରେ ଏଣେତେଣେ ପଡିରହିଛି ମୃତଦେହ । ଉଲଗ୍ନ ଅବସ୍ଥାରେ ଅତି କଦର୍ଯ୍ୟ ଭାବେ ପଡିରହିଥିବା ମୃତଦେହଗୁଡିକୁ ଦେଖିବା ମଧ୍ୟ ସମ୍ଭବ ନୁହେଁ । ତେବେ ଏଭଳି ଘଟଣା ଜଣାପଡିବା ପରେ ପାକିସ୍ତାନରେ ଚାଞ୍ଚଲ୍ୟ ଖେଳିଯାଇଛି । ପାକିସ୍ତାନର ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତାରିକ ଜମାନ ଗୁଜାର ଏହି ସୂଚନା ଦେଇଛନ୍ତି ।
ତାରିକ ଜମାନ ଗୁଜାର ଦେଇଥିବା ସୂଚନା ଅନୁଯାୟୀ, ସେ ନିଶାର ଡାକ୍ତରଖାନା ଗସ୍ତରେ ଯାଇଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ମର୍ଗ ପ୍ରକୋଷ୍ଠ ଯାଞ୍ଚ କରିବାକୁ ଅନୁରୋଧ କରିଥିଲେ । ସେ ଶବ ବ୍ୟବଚ୍ଛେଦ ଗୃହ ମଧ୍ୟକୁ ଯିବା ପରେ ଯାହା ଦେଖିଥିଲେ, ସେଥିରେ ସେ ଚକିତ ହୋଇଯାଇଥିଲେ । ଏଣେତେଣେ ଶବଗୁଡିକ ପଡି ରହିଥିଲା । କେତେଗୁଡିଏ ଶବ ଉଲଗ୍ନ ଅବସ୍ଥାରେ ପଡିରହିଥିଲା ତ ଆଉ କେତେକ ଶବରେ ଅଙ୍ଗ ପ୍ରତ୍ୟଙ୍ଗ ନ ଥିଲା । ମେଡିକାଲ ଶିକ୍ଷାରେ ଶବଗୁଡିକ ବ୍ୟବହାର କରାଯାଉଥିବା ସଂପର୍କରେ ଦାୟିତ୍ବରେ ଥିବା ଡାକ୍ତର ସଫେଇ ଦେଇଥିଲେ ହେଁ ତାହା ତାଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା । ଏହି ଘଟଣାକୁ ନେଇ ପାକିସ୍ତାନରେ ଚାଞ୍ଚଲ୍ୟ ଖେଳିଯାଇଛି ।